ଯୋଗୀରାଜ@2.0: ହୋଲି ପରେ ନୂତନ ସରକାର ଗଢ଼ିବେ ଯୋଗୀ ! ରବିବାର କରିବେ ଦିଲ୍ଲୀ ଗସ୍ତ…
ପ୍ରଧାନମନ୍ତ୍ରୀଙ୍କୁ ଭେଟି ନୂତନ ସରକାର ଗଠନ ପ୍ରକ୍ରିୟା କରିବେ ଆରମ୍ଭ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ର ଦମଦାର ବିଜୟ ପରେ ଉତ୍ତରପ୍ରଦେଶର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଦିନ ଦିଲ୍ଲୀ ଗସ୍ତ କରିବେ । ଏହି ଐତିହାସିକ ବିଜୟ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ସନ୍ଧ୍ୟାରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରାଜଭବନ ପହଞ୍ଚି ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ।

ଇସ୍ତଫା ଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ୟାବିନେଟ୍ ବୈଠକ ଡକାଇଥିଲେ। ଏଥିରେ ଉପ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା, କ୍ୟାବିନେଟ୍ ମନ୍ତ୍ରୀ ବୃଜେଶ ପାଠକ, ମନ୍ତ୍ରୀ ଲାଲଜୀ ଟଣ୍ଡନ ଏବଂ ମନ୍ତ୍ରୀ ଅନିଲ୍ ରାଜଭର ଉପସ୍ଥିତ ଥିଲେ। ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

ଅନ୍ୟପକ୍ଷେ, ରବିବାର ଦିନ ଯୋଗୀ ଆଦିତ୍ୟନାଥ ନୂଆଦିଲ୍ଲୀ ଗସ୍ତ ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡାଙ୍କୁ ଭେଟିବେ। ତେବେ ଏହି କିଛିଦିନ ପାଇଁ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହକୁ ହୋଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇପାରେ ବୋଲି ସୂଚନା ମିଳିଛି। ହୋଲି ପରେ ଏହା ଅନୁଷ୍ଠିତ ହେବାର ସମ୍ଭାବନା ଅଛି |ୟୁପିରେ ବିଜେପି କ୍ରମାଗତ ଭାବେ ଦ୍ଵିତୀୟ ଥର ସରକାର ଗଢିବାକୁ ଯାଉଛି।

ଉତ୍ତରପ୍ରଦେଶର ଚଳିତ ବର୍ଷର ନିର୍ବାଚନରେ ବିଜେପି ୨୫୫ ସିଟରେ ବିଜୟ ହାସଲ କରିଥିବା ବେଳେ ମେଣ୍ଟ ସହଯୋଗୀ ଅପନା ଦଳ ୧୨ ଏବଂ ନିଷାଦ ପାର୍ଟି ଛଅଟି ସିଟରେ ବିଜୟୀ ହୋଇଛନ୍ତି। ଏହାକୁ ମିଶାଇ ବିଜେପି ମେଣ୍ଟ ୨୭୩ ସିଟରେ ବିଜୟ ହାସଲ କରିଛନ୍ତି। ତେବେ ମତଗଣନା ଜାରି ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଯୋଗୀ ଆଦିତ୍ୟନାଥଙ୍କ ଏହା ପ୍ରଥମ ସାକ୍ଷାତକାର ।