ଶିମିଳିପାଳରୁ ଫେରାର ହେଉଛନ୍ତି ବାଘ ; ଜିନ୍ନତ ପରେ କୂଲଡିହାରେ ପହଞ୍ଚିଲା ଯମୁନା

0

ବ୍ୟୁରୋ : ଶିମିଳିପାଳ ବାଘ ଯୋଜନାକୁ ବଡ ଝଟକା । ଝାଡଖଣ୍ଡ ପଳେଇଥିଲା ଜିନ୍ନତ ଏବେ କୂଲଡିହାରେ ପହଞ୍ଚିଲାଣି ଯମୁନା । ମହାରାଷ୍ଟ୍ରରୁ ଆସିଲେ, ଶିମିଳିପାଳରେ କିଛି ଦିନ ରହିଲେ ଆଉ ତାପରେ ଶିମିଳିପାଳକୁ ପର କରି ଚାଲିଗଲେ । ଶିମିଳିପାଳରୁ ବାଙ୍ଗିରିପୋଷି, ବିଶୋୟୀ, ରାଜବାସା ଓ ପରେ ଝାଡଖଣ୍ଡର ଚାକୁଳିଆକୁ ଜିନ୍ନତ ଚାଲିଯାଇଛି । ସେ ଯିବାର ପାଖାପାଖି ୧୫ ଦିନ ଭିତରେ ଅଭୟାରଣ୍ୟର ସୀମା ପାର କରିଛି ବାଘୁଣୀ ଯମୁନା । ଝାଡଖଣ୍ଡରେ ଜିନ୍ନତ ଅଖିଆ ଅପିଆ ବୁଲୁଥିବା ବେଳେ କୂଳଡିହାକୁ ଆପଣାଇଛି ଯମୁନା ।

ଉଭୟ ବାଘୁଣୀଙ୍କୁ କିଭଳି ସୁରକ୍ଷିତ ଭାବେ ଶିମିଳିପାଳ ଫେରାଇ ଆଣିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ବନ ବିଭାଗ । ଏହାସହ ଶିମିଳିପାଳରେ ବ୍ୟାଘ୍ର ବଂଶ ବୃଦ୍ଧି ଯୋଜନା ଉପରେ ଅନ୍ଧକାରର କଳା ବାଦଲ ଘୋଟି ଯାଇଛି । ଏବେ ଚିନ୍ତାର ବିଷୟ ହେଉଛି, କାହିଁକି ଉଭୟ ବାଘୁଣୀ ଶିମିଳିପାଳ ଛାଡି ଚାଲିଗଲେ? ଶିମିଳିପାଳ ପରିବେଶ ବାଘୁଣୀଙ୍କୁ ସୁହାଇଲା ନାହିଁ କି ? ବିଶେଷଜ୍ଞଙ୍କ ମତ ଅନୁସାରେ, ପୂର୍ବରୁ ଅଭୟାରଣ୍ୟରେ ଥିବା କଳାବାଘଙ୍କ ସହ ଖାପ ଖୁଆଇ ଚଳିପାରିଲେନି ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ । ନିଜର ଟେରିଟୋରୀ ଖୋଜିବା ପାଇଁ ଶିମିଳିପାଳରୁ ଦୂରେଇ ଯାଇଛନ୍ତି ବାଘୁଣୀ ।

ଶିମିଳିପାଳରୁ ଫେରାର ହୋଇଯାଇଥିବା ଏହି ୨ ବାଘୁଣୀଙ୍କ ଉପରେ ନଜର ରହିଛି । ରେଡିଓ କଲାର ଲାଗିଥିବାରୁ ସେମାନଙ୍କର ପ୍ରତିଟି ଗତିବିଧିକୁ ଟ୍ରାକ କରୁଛି ବିଭାଗ । ଜିନ୍ନତକୁ ପୁଣିଥରେ ଫେରାଇ ଆଣିବାକୁ ଝାଡଖଣ୍ଡରେ ଏକ ସ୍ୱତନ୍ତ୍ର ଟିମ ଡେରା ପକାଇଥିବା ବେଳେ ଯମୁନା ଶିମିଳିପାଳ ଛାଡିଦେବା ଜଙ୍ଗଲ ବିଭାଗର ନିଦ ହଜାଇ ଦେଇଛି । ଝାଡଖଣ୍ଡକୁ ଚାଲିଯାଇଥିବା ବାଘୁଣୀ ଜିନ୍ନତ ୪ ଦିନ ହେବ ଖାଇନି । ତେଣୁ ଏଭଳି ଅବସ୍ଥାରେ ଟ୍ରାଙ୍କୁଲାଇଜ କରିବା ସୁରକ୍ଷିତ ନୁହେଁ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।


ବାଘୁଣୀ ଜିନ୍ନତ ଓ ଯମୁନା ଶିମିଳିପାଳ ଛାଡିଥିବା ବେଳେ ସେମାନଙ୍କୁ ଫେରାଇ ଆଣିବା ପାଇଁ ଦିନରାତି ଏକ କରି ଦେଇଛି ବନବିଭାଗ । କିନ୍ତୁ ଟ୍ରାଙ୍କୁଲାଇଜ କରିବା ସମ୍ଭବପର ହେଉନଥିବାରୁ ବନର ତାହା ଜଙ୍ଗଲ ବିଭାଗର ଚିନ୍ତାର ବିଷୟ ପାଲଟିଛି । ଶିମିଳିପାଳର ସୁରକ୍ଷାବଳୟରୁ ବାହାରି ଯାଇଥିବାରୁ ଏବେ ବାଘୁଣୀଙ୍କ ସୁରକ୍ଷା ବନବିଭାଗ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ।