ବସ୍ତା: ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନରେ ଆନ୍ତର୍ଜାତିକ ଯୋଗ ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଯୋଗ କରିବା ଏବଂ ନିରୋଗ ରହିବାର ମନ୍ତ୍ର ଦେଇ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିଛନ୍ତି ଅନୁଷ୍ଠାନର ଲୋକେ ।
ସେପଟେ ପାଉଁଶକୁଲି ପଞ୍ଚାୟତର ପାଉଁଶକୁଲି ସ୍ୱାସ୍ଥ୍ୟ କେନ୍ଦ୍ର ଓ ବେଗୁନିଆ ଖେଳ ପଡ଼ିଆରେ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ଯୁବ ବର୍ଗ ଓ ସ୍କୁଲ୍ କଲେଜର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଯୋଗ ଓ ପ୍ରାଣାୟାମ ଅଭ୍ୟାସ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଡାକ୍ତର କୌସିକ ରାୟ, ଫାର୍ମାସିଷ୍ଟ ବିଶ୍ୱଜିତ୍ ପରିଡ଼ା, ସ୍ଥାନୀୟ ସରପଞ୍ଚ ବିନ୍ଦୁବାଳା ସେନାପତି, ବିଜେପି ନେତା ଶିଶିର କୁମାର ସେନାପତି, ପଞ୍ଚାନନ ଦାସ ସମେତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିବାବେଳେ ଯୋଗ ଶିକ୍ଷକ ଦେବାଶିଷ ଜେନା ଯୋଗ ଶିକ୍ଷା ଦେଇଥିଲେ। ଏହି ଅବସରରେ ବୃକ୍ଷଚାରା ବଣ୍ଟନ ଓ ରୋପଣ କରାଯାଇଥିଲା।
ସେହିପରି କଇନଗରୀ ପଞ୍ଚାୟତର ବହୁମୁଖି ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳୀରେ ସରପଞ୍ଚ ରାଧା ବଲ୍ଲଭ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀ, ମିଶନ ଶକ୍ତି ମହିଳା ଓ ଯୁବ ଗୋଷ୍ଠୀକୁ ନେଇ ଯୋଗ ଶିବିର ସଫଳ ପୂର୍ବକ ଅନୁଷ୍ଠିତ ହୋଇଯାଇଛି। ଯୋଗର ଅନେକ ଆବଶ୍ୟକତା ଉପାଦେୟତା ରହିଛି, ତେଣୁ ପ୍ରତ୍ୟେକ ବ୍ୟକ୍ତି ଓ ପରିବାର ଯୋଗ ସହିତ ଯୋଡ଼ି ହେବାକୁ ଆହ୍ଵାନ ଦିଆଯାଇଥିଲା।