ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ନମ୍ବର ୩୪ । ମଧ୍ୟ ନିର୍ବାଚନ ମଣ୍ଡଳୀର ଏକ ଗୁରୁତ୍ୱପୂର୍ଣ୍ଣ ୱାର୍ଡ । ଚଳିତ ଥର କର୍ପୋରେଟର ପ୍ରାର୍ଥୀଙ୍କ ପାଇଁ ଏହି ଆସନ ସଂରକ୍ଷିତ ଥିଲା । ୱାର୍ଡରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ନିର୍ବାଚନ ପୂର୍ବରୁ ଅନେକ ଆଲୋଚନା ହେଉଥିଲା । ବିଶେଷ କରି ବିଜେଡ଼ି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଯେତେବେଳେ ଶୁଣାଗଲା ବିଜେଡ଼ି ପକ୍ଷରୁ ଲକ୍ଷ୍ମୀସାଗର ଅଂଚଳର ଜଣେ ମହିଳା ଆସି ଏଠାରେ ପ୍ରାର୍ଥୀ ହେଉଛନ୍ତି ତାକୁ ନେଇ ସମଗ୍ର ୱାର୍ଡ଼ରେ ଜୋରଦାର ବିରୋଧ କରାଯାଇଥିଲା । ଗଣମାଧ୍ୟମର ଶିରୋନାମାରେ ରହିଲା ଏହି ଖବର । ଲୋକାଲ ଲୋକ ଓ ବାହାର ଲୋକଙ୍କୁ ନେଇ ୱାର୍ଡବାସୀ ଇସ୍ୟୁ ମଧ୍ୟ କଲେ । ବିଜେଡିର ଗୋଟିଏ ଗୋଷ୍ଠୀ ଅସନ୍ତୁଷ୍ଟ ହୋଇ ଯାଇଥିଲେ ଏହାକୁ ନେଇ ।
ଶେଷରେ ବିଜେଡି ପକ୍ଷରୁ ବୁଦ୍ଧେଶ୍ୱରୀ ଅଂଚଳର ପୁଷ୍ପାଞ୍ଜଳୀ ସେଠୀ ନାମକ ଜଣେ ପୂର୍ବତନ କର୍ପୋରେଟରଙ୍କୁ ୱାର୍ଡ ନମ୍ବର ୩୪ରେ ପ୍ରାର୍ଥୀ କରା ଯାଇଥିଲା । ପୁଷ୍ପାଞ୍ଜଳୀ ପ୍ରାର୍ଥୀ ହେବା ପରେ ଲୋକାଲ ଲୋକ ଓ ବାହର ଲୋକ ଇସ୍ୟୁ ଆହୁରୀ ତୀବ୍ର ହୋଇଥିଲା ।
ଶେଷରେ ବିଜେଡିର ଅସନ୍ତୁଷ୍ଠ ଗୋଷ୍ଠୀ ସତ୍ୟନଗର ଅଂଚଳରୁ ଶୁଭଲକ୍ଷ୍ମୀ ନାୟକ ନାମକ ଜଣେ ମହିଳାଙ୍କୁ ସମର୍ଥନ ଦେଇ ପୁଅ ଝିଅ ଚିହ୍ନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ କରାଇଥିଲେ । ବାସ୍ ଏହି ଠାରୁ ହିଁ ଆରମ୍ଭ ହୋଇ ଯାଇଥିଲା ୱାର୍ଡରେ ଲଢ଼େଇ। ରାଜନୈତିକ ଉଷ୍ମତା ବଢ଼ି ଯାଇଥିଲା ୱାର୍ଡରେ । ଲଢ଼େଇ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ନ ଥିଲା,ବରଂ ଥିଲା ବିଜେଡି ସନ୍ତୁଷ୍ଟ ଓ ଅସନ୍ତୁଷ୍ଟଙ୍କ ମଧ୍ୟରେ । ସେହିପରି ବିଜେପି ପକ୍ଷରୁ ଜ୍ୟୋର୍ତିମୟୀ ସେଠୀ, କଂଗ୍ରେସ ପକ୍ଷରୁ ଚଂଚଳାସେଠୀ ମଧ୍ୟ ପ୍ରାର୍ଥୀ ହୋଇଥିଲେ ।
ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଜ୍ୟୋର୍ତିମୟୀଙ୍କ ଘର ଶାନ୍ତିପଲ୍ଲୀରେ । ଶାନ୍ତିପଲ୍ଲୀରେ ରହିଛନ୍ତି ୱାର୍ଡର ଅଧିକାଂଶ ଭୋଟର । ତେଣୁ ସେଠାରେ ସେ ଆଗୁଆ ରହିବା ନିଶ୍ଚିତ ଥିଲା । ସେହିପରି ସତ୍ୟନଗରରୁ ପ୍ରାର୍ଥୀ ହୋଇଥିବା ଶୁଭଲକ୍ଷ୍ମୀ ବା ପୁଅଝିଅ ଚିହ୍ନ ଆଗରେ ରହିବ ବୋଲି ସମସ୍ତଙ୍କର ଆଶା ଥିଲା । କେବଳ ପ୍ରେସ କଲୋନି, ପିଏଚଡି କଲୋନି, ଗୁଡ଼ିଆସାହି, ପଣ୍ଡା ନର୍ସିଂବସ୍ତି, ଟିମ୍ବରକଲୋନି, ପାର୍କ ଏରିଆର ଭୋଟର ନିର୍ଣ୍ଣାୟକ ଭୂମିକା ନେବେ ବୋଲି ସମସ୍ତେ ଜାଣି ପାରିଥିଲେ ।
ମଧ୍ୟ-ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଏହିୱାର୍ଡକୁୂ ନେଇ ସିରିୟସ ଥିଲେ । ଏଥିପାଇଁ ବିଧାୟକ ୭ଥର ଆସିଥିଲେ ୱାର୍ଡକୁ । କେବଳ ସଂଗଠନକୁ ମଜବୁତ କରିବା ପାଇଁ ସେ ଲାଗି ପଡ଼ିଥିଲେ । ତେବେ ଏସବୁ ଭିତରେ ବିଜେଡ଼ି ପକ୍ଷରୁ ମୁଖ୍ୟ ଗୋଟି ଚାଳନା କରିଥିଲେ ଜେ. କ୍ରିଷ୍ଣା କୁମାର ଡାକ ନାଁ ଜୟ ଭାଇ । ଯିଏ ହେଉଛନ୍ତି ବିଜେଡ଼ିର ଯୁବୱାର୍ଡ ସଭାପତି । ଏଠାରେ ବିଜେଡିକୁ ଜୋରଦାର ବିରୋଧ କରାଯାଉଥିଲା, ସେପଟେ ପଦ୍ମଫୁଲ ଭୋଟ କାଟି ଦେବ ବୋଲି ଭୟ ମଧ୍ୟ ଥିଲା । କେମିତି ପୁଷ୍ପାଞ୍ଜଳି ଜିତିବେ ତାହା ଜୟଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିଲା । ବିଧାୟକ ମଧ୍ୟ ଜୟଙ୍କ ଉପରେ ଦାୟିତ୍ୱ ଅର୍ପଣ କରି ଦେଇଥିଲେ । ବାସ୍ ରାଜନୀତିରେ ଧୃତ ଥିବା ଜୟ ସେହିଠାରୁ ଆରମ୍ଭ କରିଥିଲେ ଗୋଟି ଚାଳନା । ଦିନ ରାତି ଏକ କରି ଘରକୁ ଘର ବୁଲିଥିଲେ ଜୟ । ଗୋଟି ଗୋଟି କରି ଅସନ୍ତୁଷ୍ଟ ବିଜେଡିକର୍ମୀଙ୍କୁ ଟାଣି ଆଣିଥିଲେ ନିଜ ଦଳକୁ । ଏଥି ପାଇଁ ସେ ପାର୍କ ପାଖରେ ଦଳର ଏକ କ୍ୟାମ୍ପ ଅଫିସ୍ ମଧ୍ୟ ଖୋଲିଥିଲେ । ଅସନ୍ତୁଷ୍ଟ ଯୁବଗୋଷ୍ଠୀଙ୍କ ତାଲିକା ଧରି ସମସ୍ତଙ୍କୁ ସେହି କ୍ୟାମ୍ପ୍ ଅଫିସକୁ ଆଣି ବୁଝାସୁଝା କରିଥିଲେ ।
ସରକାରଙ୍କ ବିଭିନ୍ନ ଲୋକହୀତକାରୀ ଯୋଜନା ସମ୍ପର୍କରେ ମହିଳାଙ୍କଠାରୁ ଆରମ୍ଭ କରି ବସ୍ତିବାସନ୍ଦା ଓ ଉଠା ଦୋକାନୀମାନଙ୍କୁ ବୁଝାଇଥିଲେ । ଆଉ ନିର୍ବାଚନର ଠିକ ଦୁଇ ଦିନ ପୂର୍ବରୁ ପଲଟି ଯାଇଥିଲା ପାଶା । ତାଙ୍କରି ଗୋଟିଚାଳନାରେ ଧରାଶାୟୀ ହୋଇଗଲେ ବିରୋଧୀ । ଅନ୍ୟ ଅଂଚଳରୁ ପୁଷ୍ପାଞ୍ଜଳି ଆସିଥିଲେ ମଧ୍ୟ ସଂଖ୍ୟାଧିକ ଭୋଟ ପାଇ ୱାର୍ଡରୁ ହୋଇଥିଲେ ବିଜୟୀ । ଯାହାର ସମସ୍ତ ଶ୍ରେୟ ଜୟ ଓ ତାଙ୍କ ଟିମ୍କୁ ଯାଉଛି ବୋଲି ବିଜେଡ଼ି ମହଲରେ ଚର୍ଚା । ଯେଉଁଥି ପାଇଁ ଜୟଙ୍କୁ ବିଧାୟକ ଶ୍ରୀ ଜେନା ମଧ୍ୟ ପ୍ରଶଂସା କରିଛନ୍ତି ।
ୱାର୍ଡ ନମ୍ବର ୩୪ରେ ବିଜେଡ଼ି ଜିତିଥିଲେ ମଧ୍ୟ ପୁଅଝିଅ ଚିହ୍ନ ବା ସ୍ୱାଧୀନ ପ୍ରାର୍ଥୀ କଡ଼ାଟକ୍କର ଦେଇଥିଲା । ଯାହାକି ବିଜେଡ଼ି ଦଳ ପାଇଁ ସତର୍କବାଣୀ ସଦୃଶ ।ତେଣୁ ଆଗାମୀସାଧାରଣ ନିର୍ବାଚନ ବେଳେ ଏହା ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟିକରି ପାରେ ବୋଲି ୱାର୍ଡରେ ଚର୍ଚା ହେଉଛି ।
ଆସନ୍ତୁ ଜାଣିବା କେଉଁ ଦଳ କେତେ ଭୋଟ ପାଇଥିଲା ୱାର୍ଡରୁ-
ବିଜେଡି-୨୭୬୫
ପୁଅଝିଅ-୧୬୫୧
ବିଜେପି-୧୨୩୧
କଂଗ୍ରେସ-୧୧୨
ନୋଟା-୬୦