ମହିଳା ବିଶ୍ୱକପ : ବାଂଲାଦେଶକୁ ୧୧୦ ରନରେ ପରାସ୍ତ କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ ଦଳ ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବାଂଲାଦେଶ ଠାରୁ ବିଜୟ ହାସଲ କରିଛି । ବାଂଲାଦେଶ ଦଳ ଭାରତ ଠାରୁ ୧୧୦ ରନ୍‌ରେ ପରାସ୍ତ ହୋଇଛି । ମଙ୍ଗଳବାର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଦଳ ।

ତେବେ ଟିମ୍ ୫୦ ଓଭରରେ ୨୨୯ରନ୍ ହାସଲ କରିଥିଲା । ଏହାର ଜବାବରେ ବାଂଲାଦେଶ ୧୧୯ରନ୍‌ କରି ଅଲଆଉଟ୍ ହୋଇଯାଇଥିଲା । । ଖେଳ ପ୍ରାରମ୍ଭରୁ ଭାରତୀୟ ଦଳକୁ ବ୍ୟାଟିଂରେ ବିପର୍ଯ୍ୟୟ ସାମ୍ନା କରିବାକୁ ପଡିଥିଲା । ତେବେ ସ୍ମୃତି ବନ୍ଦନା ୩୦, ଶେଫାଳି ୪୨ ଓ ୟାସ୍ତିକା ୫୦ ରନ୍ କରି ଭାରତୀୟ ଦଳର ସ୍ଥିତି ସମ୍ଭାଳି ଦେଇଥିଲେ । ଏଥିସହିତ ବାଂଲାଦେଶକୁ ୨୩୦ରନ୍ ର ଟାର୍ଗେଟ୍ ଦେଇଥିଲେ ଭାରତୀୟ ଦଳ ।

ଅନ୍ୟପକ୍ଷରେ ବାଂଲାଦେଶ ଦଳ ପକ୍ଷରୁ ରିତୁ ମୋନି ସର୍ବାଧିକ ୩ଟି ଉଇକେଟ୍ ନେଇଥିବା ବେଳେ ମାହିଦା ଅଖତର ୨ଟି ଓ ଜାହାନାରା ଆଲମ ଗୋଟିଏ ଓ୍ୱିକେଟ୍ ନେଇଥିଲେ । ୨୩୦ରନର ବିଜୟ ଲକ୍ଷ୍ୟକୁ ସାମ୍ନା କରିବାକୁ ଯାଇ ଆରମ୍ଭରୁ ଖରାପ ପ୍ରଦର୍ଶନ ଦେଖାଇ ଆସିଥିଲା ବାଂଲାଦେଶ ଟିମ୍ ।

ଦଳର ଅଧିକାଂଶ ଖେଳାଳି ବ୍ୟାଟିଂରେ ଦୁଇ ଅଙ୍କ ଛୁଇଁ ପାରି ନଥିବା ବେଳେ କେବଳ ସଲମା ଖାତୁନ ୩୨ରନ୍ କରିଥିଲେ ।ସେହିଭଳି ଭାରତୀୟ ଖେଳାଳି ସ୍ନେହା ରଣା ସର୍ବାଧିକ ୪ଟି ଓ୍ୱିକେଟ୍ ହାସଲ କରିଥିବା ବେଳେ ଝୁଲଣ ଓ ପୂଜା ୨ଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ଏହି ବିଜୟ ସହିତ ଭାରତାୟ ମହିଳା ଦଳ ପାଇଁ ସେମିଫାଇନାଲ ଖେଳିବା ଆଶା ଉଜ୍ଜୀବିତ ହୋଇଛି । ତେବେ ଆଜି କର ବା ମର ପରିସ୍ଥିତିରେ ଭାରତୀୟ ଦଳ ଜିତିବା ସହିତ ବିଶ୍ୱକପରେ ଆଗକୁ ଯିବାର ମାଧ୍ୟମ ଖୋଲିଛି ।