ମୁମ୍ବାଇ: ଜଣେ ମହିଳ ଯାତ୍ରୀ ନିଜ ବ୍ୟାଗରେ ବୋମା ଅଛି କହି ମୁମ୍ବାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ଗିରଫ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅତିରିକ୍ତ ଲଗେଜ୍ ପାଇଁ ଅଧିକ ଦେୟ ମାଗିବାରୁ ମହିଳାଯାତ୍ରୀ ଓ ବିମାନ ବନ୍ଦର କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଫଳରେ ରାଗ ଓ ହତାଶାରେ ମହିଳାଜଣକ ବ୍ୟାଗରେ ବୋମା ଅଛି କହି ଚିତ୍କାର କରିଥିଲେ । ଏକଥା ଶୁଣି ଅନ୍ୟ ଯାତ୍ରୀ ଓ ଏୟାରଲାଇନ୍ କର୍ମଚାରୀମାନେ ତାଙ୍କଠାରୁ ଦୂରେଇ ଯାଇଥିଲେ । ବୋମା ବିଷୟରେ ସୂଚନା ଦେବାରୁ ତରୁନ୍ତ ସିଆଇଏସ୍ଏଫ୍ ସନ୍ଧାନୀ କୁକୁର ଆଣି ଅନୁସନ୍ଧାନ କରାଇଲେ। କିନ୍ତୁ, ସେ ମହିଳାଙ୍କ ବ୍ୟାଗ୍ ଭିତରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିଲା ନାହିଁ। ତେଣୁ, ସୁରକ୍ଷାକର୍ମୀମାନେ ସେ ମହିଳାଙ୍କୁ ପୁଲିସକୁ ହସ୍ତାନ୍ତର କରିଦେଇଥିଲେ ।
ସୂଚନା ଅନୁସାରେ, ବ୍ୟବସାୟୀ ସ୍ବାମୀ ଓ ଦୁଇ ପିଲାଙ୍କ ସହିତ ଦକ୍ଷିଣ ମୁମ୍ବାଇରେ ବାସ କରୁଥିବା ଉକ୍ତ ମହିଳାଜଣକ ତାଙ୍କ ମାଆଙ୍କୁ ଦେଖାକରିବା ପାଇଁ ମେ ୨୯ ତାରିଖ ଦିନ କୋଲକାତା ବାହାରିଥିଲେ। ସନ୍ଧ୍ୟା ପ୍ରାୟ ୫.୩୦ରେ ଉକ୍ତ ମହିଳା ‘ସ୍ପାଇସ୍ଜେଟ୍’ ବ୍ୟାଗେଜ୍ ଚେକ୍-ଇନ୍ କାଉଣ୍ଟର୍ରେ ପହଞ୍ଚି ‘ବୋର୍ଡିଙ୍ଗ୍ ପାସ୍’ ମାଗିଥିଲେ। ଚେକ୍-ଇନ୍ ପାଇଁ ଦୁଇଟି ବ୍ୟାଗ୍ ମଧ୍ୟ ଦେଇଥିଲେ। ଦେଶ ଭିତରେ କୌଣସି ସ୍ଥାନକୁ ଯିବା ପାଇଁ ସାଥିରେ ସର୍ବାଧିକ ୧୫ କିଲୋ ଓଜନର ଗୋଟିଏ ବ୍ୟାଗ୍ ନେଇ ଯିବାକୁ ଏୟାର୍ଲାଇନ୍ସ୍ ଅନୁମତି ଥିବା ବେଳେ ମହିଳାଜଣକ ୨୨.୦୫ କିଲୋ ଓଜନର ୨ଟି ବ୍ୟାଗ୍ ଆଣିଥିଲେ। ଏଥିପାଇଁ ତାଙ୍କୁ ଅଧିକ ଦେୟ ଦେବାକୁ କୁହାଯିବାରୁ ମହିଳାଜଣକ ଦେବାକୁ ମନା କରିଥିଲେ ।