ମାଲକାନଗିରି: ସୁରକ୍ଷାକର୍ମୀଙ୍କ ଗୁଳିରେ ହାର୍ଡକୋର୍ ମହିଳା ମାଓବାଦୀ ମୃତ । ଓଡ଼ିଶା ସୀମାନ୍ତ ଛତିଶଗଡ଼ ସୁକ୍ମା ଜିଲ୍ଲାର ଗୁଫଡ଼ି ଜଙ୍ଗଲରେ ନିହତ । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସହ ବିପୁଳ ପରିମାଣର ମାଓ ସମଗ୍ରୀ ଜବତ । ମୃତ ମହିଳା ମାଓବାଦୀଙ୍କ ନାଁରେ ଥିଲା ୫ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ସୂଚନା ଅନୁସାରେ, ବିଶେଷ ସୁତ୍ରରୁ ସୁକମା ପୋଲିସ ଖବର ପାଇ ଗାଦିରାସ ଥାନା ଅନ୍ତର୍ଗତ ଗୁଫଡି ଏବଂ ପେରମପାରା ମଧ୍ୟ ଜଙ୍ଗଲରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା । ଆଜି ସକାଳୁ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଦିନ ୨ଟା ପର୍ଯ୍ୟନ୍ତ ଚାଲିଥିଲା ଉଭୟ ପକ୍ଷରୁ ଗୁଳି ଚାଳନା । ପରେ ଯବାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମହିଳା ମାଓବାଦୀର ମୃତଦେହକୁ ଠାବ କରିଥିଲା। ମୃତ ମହିଳା ମାଓବାଦୀ ଜଣକ ହେଲେ ବୁସ୍କି ନୁପୋ। ତାଙ୍କ ନାଁରେ ୫ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେ ଗାଙ୍ଗଲୁର ଏରିଆ କମିଟିର ସଦସ୍ୟ ଥିଲା । ଏଥିସହ ଘଟଣାସ୍ଥଳରୁ ଗୋଟିଏ ୩୧୫ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଛି।

ସେପଟେ ଭଞ୍ଜନଗର ଏବଂ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ସୀମାନ୍ତ ଜଙ୍ଗଲରେ ମାଓବାଦୀମାନେ ଚଳପ୍ରଚଳ କରୁଥିବା ନେଇ ସୁରକ୍ଷା ବାହିନୀକୁ ଖବର ମିଳିବା ପରେ ଏସ୍ଓଜି ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ। ଯବାନମାନଙ୍କୁ ଦେଖି ମାଓବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ । ମାଓବାଦୀଙ୍କ ଗୁଳିରେ ଯବାନ ପ୍ରେମସିଂହ ମାଝୀ ଗୁରୁତର ହୋଇଥିଲେ। ତାଙ୍କର ବାମ ହାତ ଓ ପେଟରେ ଗୁଳିବାଜିଛି। ଗୁରୁତର ଭାବେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କନ୍ଧମାଳ ଜିଲ୍ଲା ରାଇକିଆର ଇନ୍ଦ୍ରଗଡ଼ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଭଞ୍ଜନଗର ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।