ମହିଳାଙ୍କ ଉପରେ ମାଡ଼ିଗଲା KIIT କଲେଜ୍ ବସ୍। ଦୁର୍ଘଟଣାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି। ଭୁବନେଶ୍ୱର ଉତ୍କଳ ହସ୍ପିଟାଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ମହିଳାଙ୍କ ପରିଚୟ ମିଳିନାହିଁ। KIIT କଲେଜ୍ ବସ୍ଟି ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା। ସେହି ସମୟରେ ମହିଳା ଜଣଙ୍କ ପଣ୍ଡା ଖୋଲିଆ ବସ୍ତି ନିକଟରେ ରାସ୍ତା ପାର ହେଉଥିଲେ।
ଏହି ସମୟରେ ବସ୍ଟି ମହିଳାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁର୍ଘଟଣାଗ୍ରସ୍ତ ବସ୍କୁ ସ୍ଥାନୀୟ ଲୋକେ ଅଟକ ରଖିଥିଲେ। ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦାବି କରିବା ସହ ଘଟଣାର ସଠିକ୍ ତଦନ୍ତ କରିବାକୁ ଦାବି କରିଛନ୍ତି।
ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ଉତ୍ତେଜନା ଥମିଥିଲା। ଦୁର୍ଘଟଣାଗ୍ରସ୍ତ ବସ୍କୁ ପୋଲିସ ଜବତ କରିଛି। ମହିଳାଙ୍କ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଅପମୃତ୍ୟୁ ମାମାଲା ରୁଜୁ କରି ଘଟଣାର ତଦନ୍ତ କରୁଛି।