ଗଞ୍ଜାମ-: ଗଞ୍ଜାମ ଜିଲା ବାସୁଦେବପୁର ପଞ୍ଚାୟତ ପଡିଆପୁରୁଷୋତ୍ତମପୁର ଗ୍ରାମର ପ୍ରିୟତ ମାଧରଙ୍କୁ ତାଙ୍କ ସ୍ବାମୀ ବଇଁଶୀଧର ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସ୍ବାମୀଙ୍କ ମାଡ଼ରେ ପ୍ରିୟତମାଙ୍କ ନାକ ହାଡ଼ ଭାଙ୍ଗି ଯାଇଛି। ଏ ନେଇ ଏତଲା ହେବାପରେ ଥାନା ମାମଲା ନଂ.୧୬୯/୨୫ ଅନୁଯାୟୀ ଅଭିଯୁକ୍ତ ସ୍ବାମୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ଥାନା ଅଧିକାରୀ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଗୁରୁବାର ଅପରାହ୍ନ ପ୍ରାୟ ୩ଟାରେ ବଇଁଶୀ ତାଙ୍କ ସ୍ତ୍ରୀଙ୍କୁ ନିସ୍ତୁକ ମାଡ ମାରିଥିଲେ। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସା ହେବାପରେ ସେ ଶୁକ୍ରବାର ରାତିରେ ଥାନାରେ ପହଞ୍ଚି ଏତଲା ଦେଇଥିଲେ । ଗତ ପ୍ରାୟ ୧୩ ବର୍ଷ ପୂର୍ବେ ସେ ବଇଁଶୀଙ୍କୁ ବିବାହ କରିଥିଲେ ଉଭୟଙ୍କର ୮ ବର୍ଷର ପୁଅ ଅଛି। ବିବାହ ପରଠାରୁ ସେ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଘର ଚଳାଇବା ପାଇଁ ଟଙ୍କା ମାଗିଲେ ତାଙ୍କୁ ନିସ୍ତୁକ ମାଡ ମାରିବା ସହ ଘରର ଆସବାବ ପରେ ବାହାରକୁ ଫୋପାଡ଼ି ଦେଇ ଧମକ ଦେଇ ଆସୁଥିବା ଏତଲାରେ ଉଲ୍ଲେଖ ରହିଛି।