ବ୍ୟୁରୋ: ପାକିସ୍ତାନ୍ର ନାପାକ୍ ଇରାଦା । ଲସ୍କର ଆତଙ୍କବାଦୀଙ୍କୁ କୋଳ କରିଛି । ଆଇ.ଏସ୍.ଆଇ ପଂଝାରେ ପରିଚାଳିତ ‘ଲସ୍କର’ । ପାକିସ୍ତାନୀଙ୍କ ଏ ପ୍ୟାରା ପ୍ୟାଦା ଆତଙ୍କବାଦୀ ସଂଗଠନ , ଭାରତୀୟ ସେନାଙ୍କ ସହିତ ଟକ୍କର ନେଉଛି । ଜମ୍ମୁ କଶ୍ମୀରର ରାଜୌରୀରେ ଘଟିଛି, ଯାହା ନ’ ଘଟିବା କଥା । ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ଭିତରେ ଗୁଳିଗୋଳା ବର୍ଷା ହେଉଛି । ଆତଙ୍କବାଦୀଙ୍କ ଆକ୍ରମଣରେ ବୁଧବାର ଦିନ ୪ ଜଣ ଯବାନ୍ ସହିଦ୍ ହୋଇଥିଲେ । ଗୁରୁବାର ଦିନ ଆଉ ଜଣେ ଯବାନ, ଦେଶ ପାଇଁ ଜୀବନ ଦେଇଛନ୍ତି । ବାରୁଦ ଲଢେଇର ଏ ନିଆଁ ଭିତରେ ୩ ଜଣ ଯବାନ ଆହତ ମଧ୍ୟ ହୋଇଛନ୍ତି । ଯେଉଁ ୫ ଜଣ ଯବାନ୍ ଲସ୍କର ଆତଙ୍କବାଦୀଙ୍କ ସହିତ ଲଢି ପ୍ରାଣ ହରାଇଛନ୍ତି, ସେମାନଙ୍କ ଭିତରେ ଅଛନ୍ତି କ୍ୟାପଟେନ୍ ଏମ୍.ଭି ପ୍ରଂଜଲ୍, କ୍ୟାପଟେନ୍ ଶୁଭମ୍ ଗୁପ୍ତା,ହାବିଲଦାର ଅବଦୁଲ୍ ମାଜିଦ୍, ଲାନ୍ସ ନାୟକ ସଂଜୟ ବିଷ୍ଟ ଓ ପାରାଟ୍ରୁପର ସଚ୍ଚିନ ଲୌର । ଆକ୍ରମଣରେ ଆହତ ହୋଇଥିବା ଯବାନ ମାନଙ୍କୁ ଉଦ୍ଦାମପୁରରେ ଥିବା ସେନା କମାଣ୍ଡୋ ହସ୍ପିଟାଲରେ ଚିକିତ୍ସା କରା ଯାଉଛି । ରକ୍ତାକ୍ତ ଏ ଲଢେଇର ଜବାବ ବି ଦେଇଛନ୍ତି ଭାରତୀୟ ସେନା । ରକ୍ତ ପାଇଁ ଛେଦିଛନ୍ତି ରକ୍ତ । ସେନାର ପ୍ରତି ଆକ୍ରମଣରେ ନିହତ ହୋଇଛନ୍ତି ୨ ଜଣ ଲସ୍କର ଆତଙ୍କବାଦୀ । ସେମାନଙ୍କ ଭିତରୁ ଜଣେ, ଲସ୍କର ଏ ତୋଇବାର କମାଣ୍ଡୋ ଓ ଆଉ ଜଣେ ତାର ସହଯୋଗୀ । ସୁରକ୍ଷା କର୍ମୀଙ୍କ ସୂଚନା ଅନୁଯାଇ ନିହତ ଆତଙ୍କବାଦୀଙ୍କ ସାଂକେତିକ ନାମ କ୍ୱାରି । ରାଜୌରୀର ପଂଚୁ ଜିଲ୍ଲାରେ ସେ ସକ୍ରିୟ ଥିଲା । ଡାଙ୍ଗ୍ରୀ ଓ କାଣ୍ଡି ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ମଧ୍ୟ ‘ଲସ୍କର’ର ହାତ ରହିଛି ବୋଲି ସଂଦେହ କରା ଯାଉଛି ।