କାହିଁକି ଆଜିର ଦିନରେ ପାଳନ କରାଯାଏ ଜାତୀୟ କ୍ରୀଡା ଦିବସ ?

ବ୍ୟୁରୋ : ହକିର ଯାଦୁଗର ଅର୍ଥାତ ମେଜର ଧ୍ୟାନଚାନ୍ଦ । ଭାରତରେ ପ୍ରତି ବର୍ଷ ତାଙ୍କ ଜନ୍ମ ଜୟନ୍ତୀକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ । ୨୯ ଅଗଷ୍ଟ ୧୯୦୫ ମସିହାରେ ଉତ୍ତରପ୍ରଦେଶର ଇଲ୍ଲାହାବାଦ ଜିଲ୍ଲାରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ହୋଇଥିଲା । ଆଜି ହେଉଛି ତାଙ୍କର ୧୧୮ ତମ ଜନ୍ମ ଜୟନ୍ତୀ । ଜାତୀୟ କ୍ରୀଡା ଦିବସ ଅବସରରେ ସାରା ଦେଶ ଆଜି ତାଙ୍କୁ ମନେ ପକାଉଛି । ପୂର୍ବାପେକ୍ଷା ଚଳିତ ଥର କିଛି ଖାସ ଭାବେ ଏହି ଦିବସ ପାଳନ କରାଯିବ । କାରଣ ବିଗତ କିଛି ମାସ ଧରି ଦେଶ କ୍ରୀଡ଼ାରେଖୁବ ଭଲ ପ୍ରଦର୍ଶନ କରିଛି । ଭାରତୀୟ ହକି ଦଳ ଏସିଆ ଚାମ୍ପିୟନ୍ସ ଟ୍ରଫି ଜିତିଛି । ସେହିପରି ନୀରଜ ଚୋପ୍ରା ଡାଇମଣ୍ଡ ଲିଗ ପରେ ୱାଲ୍ଡ ଚାମ୍ପିୟନ୍ସରେ ସ୍ୱର୍ଣ୍ଣିମ ଇତିହାସ ରଚନା କରିଛନ୍ତି । ଏହା ଛଡା ରମେଶବାବୁ ପ୍ରଜ୍ଞାନନ୍ଦା ମଧ୍ୟ ସମସ୍ତଙ୍କୁ ଗୌରବାନ୍ୱିତ କରାଇଛନ୍ତି । ତେବେ ଏହିସବୁ କୀର୍ତ୍ତିମାନ ମେଜର ଧ୍ୟାନଚାନ୍ଦଙ୍କ ପାଇଁ ବଡ଼ ଶ୍ରଦ୍ଧାଞ୍ଜଳି ବୋଲି କୁହାଯାଇପାରେ ।

ଆମ ଦେଶରେ ହକି ହେଉଛି ଜାତୀୟ କ୍ରୀଡା । ଭାରତର ଷ୍ଟାର ହକି ପ୍ଲେୟର ମେଜର ଧ୍ୟାନଚାନ୍ଦ ତାଙ୍କ ହକି ଜୀବନରେ ମୋଟ ୧,୦୦୦ ଗୋଲ କରିଛନ୍ତି । ତାଙ୍କ ପ୍ରତିଭାର ପ୍ରଶଂସକ କେବଳ ଭାରତରେ ସୀମିତ ନଥିଲେ । ଦେଶର କିର୍ତ୍ତୀରାଜି ବଢ଼ାଇ ବିଦେଶରେ ଭାରତର ନାଁକୁ ବେଶ ଉଚ୍ଚାରେ ରଖିଥିଲେ । ଏବଂ ବିଦେଶରେ ତାଙ୍କୁ ମଧ୍ୟ ତ୍ରିରଙ୍ଗା ନାମରେ ଲୋକମାନେ ଜାଣୁଥିଲେ । ଦେଶ ସ୍ୱାଧୀନତା ପାଇବା ପୂର୍ବରୁ ଯଦି କେଉଁଠାରେ ଭାରତର ଚର୍ଚ୍ଚା ହେଉଥିଲା ତେବେ ତାହାର ଏକମାତ୍ର କାରଣ ଥିଲେ ମେଜର ଧ୍ୟାନଚାନ୍ଦଙ୍କ ପାଇଁ । ୧୯୩୬ ଅଲିମ୍ପିକ ପରେ ନିଜେ ହିଟଲର ମଧ୍ୟ ତାଙ୍କର ପ୍ରଶଂସକ ପାଲଟି ଯାଇଥିଲେ । ଏପରିକି ତାଙ୍କୁ ଜର୍ମାନୀ ନାଗରିକତା ପ୍ରଦାନ କରିବା ପାଇଁ ମଧ୍ୟ ଅଫର ମିଳିଥିଲା । କିନ୍ତୁ ସେ ଜଣେ ସଚ୍ଚା ଭାରତୀୟ ଥିଲେ । ଖେଳ ସହିତ ସେ ଜଣେ ଭାରତୀୟ ସୈନିକ ମଧ୍ୟ ରହିଥିଲେ ।

ମେଜର ଧ୍ୟାନଚାନ୍ଦ ନିଜର ପାଠପଢା ସାରିବା ପରେ ୧୯୨୨ ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। କିନ୍ତୁକ୍ରୀଡା ପ୍ରତି ତାଙ୍କର ଦୁର୍ବଳତା ଥିଲା । ସେ ହକି ଖେଳ ପାଇଁ ସୁବେଦାର ମେଜର ତିୱାରୀଙ୍କ ଠାରୁ ପ୍ରେରିତ ହୋଇ ତାଙ୍କ ଠାରୁ ହକି ଶିଖିଥିଲେ । ସେ ଖୁବ ସୁନ୍ଦର ହକି ଖେଳୁଥିବାରୁ ସେନାରେ ମଧ୍ୟ ତାଙ୍କ ପଦୋନ୍ନତି ହେବାରେ ଲାଗିଥିଲା । ଫଳରେ ୧୯୨୭ରେ ତାଙ୍କୁ ‘ଲାନ୍ସ ନାୟକ’ ଭାବରେ ନିଯୁକ୍ତ କରାଯାଇଥିଲା, ପରେ ୧୯୩୨ରେ ନାୟକ ଏବଂ ୧୯୩୬ରେ ସୁବେଦାର ଭାବରେ ପଦୋନ୍ନତି ପାଇଥିଲେ ମେଜର ଧ୍ୟାନଚାନ୍ଦ । ସେହି ବର୍ଷ ଭାରତୀୟ ହକି ଦଳର ଟିମ ଲିଡର ଭାବରେ ଦାୟିତ୍ୱ ଗ୍ରହଣ କରିବା ସହ ସେପଟେ ଭାରତୀୟ ସେନାରେ ମଧ୍ୟ ତାଙ୍କୁ ମେଜର ରୂପରେ ପଦୋନ୍ନତି ମିଳିଥିଲା । ତେବେ ଏହା ହିଁ ଥିଲା ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ସଫଳତାର କାହାଣୀ ।