ପଶୁପ୍ରେମୀଙ୍କ ପାଇଁ ଖୁସି ଖବର: ନନ୍ଦନକାନନରେ ନୂଆ ଅତିଥି, ମାଆ ହେଲା ଧଳା ବାଘୁଣୀ ରୁପା

ଭୁବନେଶ୍ୱର: ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି । ମାଆ ହୋଇଛି ଧଳା ବାଘୁଣୀ ରୁପା । ଆଜି ସକଳେ ନନ୍ଦନକାନନରେ ଧଳା ବାଘୁଣୀ ରୁପା ତାର ପ୍ରଥମ ଶାବକ ଜନ୍ମ ଦେଇଥିବା ସୂଚନା ମିଳିଛି । ତେବେ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ରୂପା ଗୋଟିଏ ଶାବକକୁ ଜନ୍ମ ଦେଇଥିବା ବେଳେ ପ୍ରସବ ପ୍ରକ୍ରିୟା ଜାରି ରହିଛି । ବାଘୁଣୀ ରୁପାର ପ୍ରସବ ପ୍ରକ୍ରିୟା ଜାରି ରହିଥିବାରୁ ଆଜି ମଧ୍ୟାହ୍ନ ସୁଦ୍ଧା ଆଉ ଅଧିକ ଶାବକ ଜନ୍ମ ହେବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷେ ଏନେଇ କର୍ତ୍ତୃପକ୍ଷ ସମସ୍ତ ପ୍ରକାରର ବ୍ୟବସ୍ଥା କରି ସିସିଟିଭି ମାଧ୍ୟମରେ ରୁପାର ପ୍ରସବ ପ୍ରକିୟା ଉପରେ ନଜର ରଖିଛନ୍ତି । ତେବେ ଜନ୍ମ ହୋଇଥିବା ପ୍ରଥମ ଶାବକର ଯତ୍ନ ମା ବାଘୁଣୀ ରୁପା ଠିକ୍‌ରେ ଭାବରେ ନେଉଥିବା ସିସିଟିଭି ଫୁଟେଜ ଦେଖି ପ୍ରାଣୀ ଉଦ୍ୟାନର କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । ଗତ ତିନି ମାସ ତଳେ ନାଲି ରଙ୍ଗର ମହାବଳ ବାଘ ସାହିଲ ସହିତ ରୁପାର ମିଳନ କରାଯାଇଥିଲା ।

  • ରୁପା ସହ ଜଡ଼ିତ ମଜାଦାର ଘଟଣା 

ତେବେ ଏହି ଖବର ସହ ଜଡ଼ିତ ଅନ୍ୟ ଏକ ମଜାଦାର ଖବର ଏହିକି ଯେ କିଛିଦିନ ତଳେ ବାଘ ଖୁଆଡରେ ଅଜଗର ପଶିବା ଘଟଣା ଆପଣଙ୍କ ମଧ୍ୟରୁ ବହୁତ କମ୍ ଲୋକ ମନେ ରଖିଥିବେ ନିଶ୍ଚିତ ।ତେବେ ଏହି ଘଟଣାରେ ଅଜଗରକୁ ଅଧାମରା କରିଥିବା ବାଘୁଣୀ ହେଉଛି ରୁପା । ନନ୍ଦନକାନନର ୩୨ ନମ୍ବର ବାଘ ଖୁଆଡ଼ରେ ରହୁଛି ୫ ବର୍ଷୀୟା ଧଳା ବାଘୁଣୀ ରୁପା । ତେବେ ରୁପାର ଖୁଆଡ଼ରେ ଗୋଟିଏ ୧୧ ଫୁଟ୍‌ ଲମ୍ବର ଅଜଗର ପଶିଯିବା ପରେ ଦେଖା ଦେଇଥିଲା ବାଘ ଏବଂ ଅଜଗର ମଧ୍ୟରେ ସଂଘର୍ଷ । ତେବେ ଅଜଗର ଓ ବାଘ ମଧ୍ୟରେ ଲାଗିଥିବା ପ୍ରାୟ ୧୫ ମିନିଟ୍‌ର ଏହି ଛକାପଞ୍ଝାକୁ ଦର୍ଶକମାନେ ବେଶ୍ ଉପ‌ଭୋଗ ମଧ୍ୟ କରିଥିଲେ।

  • ରାଜ୍ୟରେ ବାଘ ସୁରକ୍ଷା ଚିନ୍ତା

ତେବେ ରାଜ୍ୟରେ ବାଘ ଛାଲ ବେପାର ଏକ ପ୍ରକାରର ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ବାରମ୍ବାର ବନ ବିଭାଗ ଏବଂ ଏସ୍‌ଟିଏଫ୍‌ ର ଚଢ଼ାଉ ପରେ ମଧ୍ୟ ରାଜ୍ୟରେ ଥମିବାର ନାଁ ଧରୁନାହିଁ ବ୍ୟାଘ୍ର ଶିକାର । ସୂଚନା ଅନୁଯାୟୀ, ବ୍ୟାଘ୍ର ସୁରକ୍ଷା ନିମନ୍ତେ ରାଜ୍ୟରେ ପ୍ରତି ୪ ବର୍ଷରେ ଥରେ ବାଘ ସଂଖ୍ୟା ଗଣନା କରାଯାଇଥାଏ । ଏହା ପୂର୍ବରୁ ୨୦୧୮ ଓ ୨୦୧୪ରେ ହୋଇଥିବା ଗଣନାରେ ବାଘଙ୍କ ସଂଖ୍ୟା ଥିଲା ମାତ୍ର ୨୮।

ତେବେ ୨୦୦୪ ଗଣନାରେ ରାଜ୍ୟରେ ବାଘ ସଂଖ୍ୟା ଥିଲା ୧୯୨। ଏପରିକି ୨୦୦୬ରେ ମଧ୍ୟ ବାଘ ସଂଖ୍ୟା ୪୫କୁ ଖସି ଆସିଥିବା ବେଳେ ୨୦୧୦ରେ ୩୨କୁ ହ୍ରାସ ପାଇଥିଲା। ତେବେ ପ୍ରାଣୀ ଉଦ୍ୟାନରେ ବାଘ ମାନଙ୍କ ସୁରକ୍ଷା ଦୃଷ୍ଟିରୁ, ରାଜ୍ୟରେ ବୃଦ୍ଧି ପାଉଥିବା ବାଘ ଛାଲ ବେପାରୀଙ୍କ ସକ୍ରିୟତା ଅଭୟାରଣ୍ୟରେ ଥିବା ବାଘ ମାନଙ୍କ ସୁରକ୍ଷା ଉପରେ ଏକ ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି କରିଛି ।