ପ୍ରାଣୀ ଉଦ୍ୟାନରୁ ଆସିଲା ଦୁଃଖଦ ଖବର, ଆଖି ବୁଜିଲା ଧଳା ବାଘ ଶାବକ

ଭୁବନେଶ୍ଵର: ନନ୍ଦନକାନନରେ ଧଳା ବାଘ ଛୁଆର ମୃତ୍ୟୁ । ଜନ୍ମ ହେବାର ଅଢ଼େଇ ମାସ ପରେ ଧଳା ଶାବକର ମୃତ୍ୟୁ ହୋଇଛି । ତେବେ ଜନ୍ମରୁ ଅସୁସ୍ଥ ଥିଲା ବାଘ ଛୁଆଟି । ଜନ୍ମରୁ କମ୍ ଓଜନ ଥିବା ସହ ସଂକ୍ରମଣର ଶିକାର ହୋଇଥିଲା । ଏହାସହିତ କାନରେ ସଂକ୍ରମଣ ହେବା ସହ ଝାଡ଼ାରେ ରକ୍ତ ପଡ଼ୁଥିଲା । ପ୍ରାଣୀ ଉଦ୍ୟାନର ୨୮ନଂ ଫିଡ଼ିଂ ଚ୍ୟାମ୍ୱରରେ ରହୁଥିବା ୯ ବର୍ଷିଆ ଧଳା ବାଘୁଣୀ ମୌସୁମୀ ଗତ ଜୁନ୍ ୭ ତାରିଖ ରାତିରେ ଦୁଇ ଘଣ୍ଟା ଅନ୍ତରରେ ଦୁଇଟି ଶାବକ ଜନ୍ମ ଦେଇଥିଲା । ଖୁଆଡରେ ଲାଗିଥିବା ସିସିଟିଭି ମାଧ୍ୟମରେ ତା ଉପରେ ନଜର ରଖାଯାଇଥିଲା । ମୌସୁମୀ ଛୁଆମାନଙ୍କର ଯତ୍ନ ନେବା ସହିତ କ୍ଷୀରପାନ କରୁଥିବା ଦେଖିବାକୁ ମିଳିଥିଲା । ଜୁନ୍ ୧୧ ତାରିଖ ଅପରାହ୍ନ ୧ଟା୩୦ମିନିଟ୍ ସୁଦ୍ଧା ଧଳା ଛୁଆଟି ଅସୁସ୍ଥ ଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା । ବାଘୁଣୀ ଦୁଇ ଶାବକକୁ ପାଖରେ ପୂରାଇ ଦେଇ ନଥିଲା । ତେଣୁ ଦୁଇ ଶାବକକୁ ବଞ୍ଚାଇବା ପାଇଁ କର୍ତ୍ତୃପକ୍ଷ   ସନ୍ଧ୍ୟା ୭ଟାରେ ମା’ ଠାରୁ ଦୁଇ ଶାବକଙ୍କୁ ଅଲଗା କରି ଶିଶୁ ଲାଳନ ପାଳନ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ । ଧଳା ଅଣ୍ଡିରା ବାଘ ଶାବକ ଓଜନ କମ୍ ଥିବାବେଳେ ଗୁରୁତର ହୋଇଯାଇଥିଲା । ତେଣୁ ତାକୁ ଇନକ୍ୟୁବେଟରରେ ରଖାଯାଇ ତା ଉପରେ ନଜର ରଖାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାର ଗତ ଶନିବାର ସକାଳୁ ହଠାତ ମୃତ୍ୟୁ ହୋଇଛି । ବର୍ତ୍ତମାନ ପ୍ରାଣୀ ଉଦ୍ୟାନରେ ଧଳା ବାଘ ସଂଖ୍ୟା ୫କୁ ହ୍ରାସ ପାଇଛି ଓ ମୋଟ ବାଘ ସଂଖ୍ୟା ୨୮କୁ ଖସିଛି । ତେବେ ଶାବକଟିର ମୃତ୍ୟୁର କାରଣ ଜାଣିବା ପାଇଁ ମୃତଦେହକୁ ଓୟୁଏଟିକୁ ପରୀକ୍ଷା ପାଇଁ ପଠାଯାଇଛି । କହିରଖୁଛୁ ଯେ, ଗତ ଜୁନ୍ ୨୦୨୫ରେ ମେଲାନିଷ୍ଟିକ୍ ବାଘ କୃଷ୍ଣା ଏବଂ ଧଳା ବାଘୁଣୀ ରୂପାଙ୍କଠାରୁ ଜନ୍ମ ହୋଇଥିବା ଗୋଟିଏ ଧଳା ବାଘ ଛୁଆର ମୃତ୍ୟୁ ହୋଇଥିଲା  । ମୃତ ବାଘ ଛୁଆଟି ପାଖରେ ମାର୍ଚ୍ଚ ୨୦୨୫ରେ ପଙ୍ଗୁ ହେବାର ଲକ୍ଷଣ ଦେଖାଦେଇଥିଲା ଏବଂ ଡାଇଗ୍ନୋଷ୍ଟିକ୍ ଇମେଜିଂ, ଔଷଧ ଏବଂ ପୁଷ୍ଟିକର ପରିପୂରକ ସମେତ ନିୟମିତ ପଶୁ ଚିକିତ୍ସକଙ୍କ ତତ୍ତ୍ବାବଧାନରେ ଥିଲା । ୩୧ ମେ’ ୨୦୨୫ ରାତିରେ, ଶାବକଟି ସାଧାରଣ ଭାବରେ ଖାଇଥିଲା ଏବଂ କଷ୍ଟର କୌଣସି ଲକ୍ଷଣ ଦେଖାଇନଥିଲା । ତଥାପି, ଜୁନ୍୧ରେ ଶାବକଟି ସଂଘର୍ଷ କରୁଥିବା ଦେଖାଯାଇଥିଲା ଏବଂ ସନ୍ଧ୍ୟାରେ ତା’ର ମୃତ୍ୟୁ ହୋଇଥିଲା ।