ନୂଆଦିଲ୍ଲୀ: ଅନେକ ଲୋକ ଭାବନ୍ତି ଯେ ଲିଭ୍-ଇନ୍ ସମ୍ପର୍କ କିମ୍ବା ବିବାହ ବିନା ଏକାଠି ରହିବା ଭାରତରେ ଆଇନଗତ ଭାବରେ ବେଆଇନ । ନିକଟରେ, ଆହ୍ଲାବାଦ ହାଇକୋର୍ଟ ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ସ୍ପଷ୍ଟ କରିଛନ୍ତି । କୋର୍ଟ କହିଛନ୍ତି ଯେ, ଲିଭ୍-ଇନ୍ ସମ୍ପର୍କ ଅବୈଧ ନୁହେଁ। ଯଦି ଉଭୟ ସାଥୀ ପ୍ରାପ୍ତବୟସ୍କ ହୁଅନ୍ତି ଏବଂ ନିଜ ଇଚ୍ଛାରେ ଏକାଠି ରହିବାକୁ ଚାହାଁନ୍ତି, ତେବେ କୌଣସି ବ୍ୟକ୍ତି କିମ୍ବା ପରିବାର ସେମାନଙ୍କୁ ବାଧା ଦେବାର ଅଧିକାର ନାହିଁ।

ଏହି ରାୟ କେବଳ ଲିଭ୍-ଇନ୍ ସମ୍ପର୍କରେ ରହୁଥିବା ଦମ୍ପତିଙ୍କ ଅଧିକାରକୁ ସୁରକ୍ଷିତ ରଖିନାହିଁ ବରଂ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ବିବାହିତ ହେଉ କିମ୍ବା ଅବିବାହିତ ସମ୍ବିଧାନର ଧାରା ୨୧ ଅନୁଯାୟୀ ପ୍ରତ୍ୟେକଙ୍କର ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ଅଛି। ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଲିଭ-ଇନ ସମ୍ପର୍କ ଅବୈଧ ନୁହେଁ। ସମାଜରେ ଏହା ଗ୍ରହଣୀୟ ହେଉ କି ନ ହେଉ, ଏହାକୁ ଅପରାଧ କିମ୍ବା ଅବୈଧ ବୋଲି ବିବେଚନା କରାଯାଇପାରିବ ନାହିଁ। ଯଦି ଜଣେ ବୟସ୍କ ବ୍ୟକ୍ତି ନିଜ ଇଚ୍ଛାରେ ଜଣେ ସାଥୀଙ୍କ ସହିତ ରହୁଛନ୍ତି, ତେବେ ପରିବାରର କୌଣସି ସଦସ୍ୟ କିମ୍ବା ବ୍ୟକ୍ତି ତାଙ୍କୁ ହଇରାଣ କରିପାରିବେ ନାହିଁ। ଏପରି ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ରାଷ୍ଟ୍ରର କର୍ତ୍ତବ୍ୟ।ସମ୍ବିଧାନର ଧାରା ୨୧ ଅନୁଯାୟୀ ଆବେଦନକାରୀଙ୍କର ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ଅଛି। ବିବାହର ଉପସ୍ଥିତି କିମ୍ବା ଅନୁପସ୍ଥିତି ଦ୍ୱାରା ଏହି ଅଧିକାର ପ୍ରଭାବିତ ହୋଇପାରିବ ନାହିଁ। ଘରୋଇ ହିଂସା ଆଇନ, ୨୦୦୫ ଅନୁଯାୟୀ, ଲିଭ୍-ଇନ୍ ସମ୍ପର୍କରେ ରହୁଥିବା ମହିଳାମାନେ ମଧ୍ୟ ସୁରକ୍ଷା, ଭରଣପୋଷଣ ଏବଂ ଅନ୍ୟାନ୍ୟ ସୁବିଧା ପାଇପାରିବେ।