ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି: ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି

ଭୁବନେଶ୍ୱର: ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର। ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୁର୍ଣ୍ଣି ବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ରୁ ୫ ଦିନ ଲାଗି ରହିବ ବର୍ଷା । ମୌସୁମୀ ସକ୍ରିୟ ସହ ଲଘୁଚାପ ପ୍ରଭାବରେ ଜାରି ରହିବ ବର୍ଷା । ୭ ରୁ ୨୦ ସେଣ୍ଟିମିଟର ବର୍ଷା ହେବା ନେଇ ହୋଇଛି ପୂର୍ବାନୁମାନ। ଆସନ୍ତା ୨୪ ଘଣ୍ଟା ପାଇଁ ୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କନ୍ଧମାଳ, ବରଗଡ଼, ରାୟଗଡ଼ାରେ ପ୍ରବଳ ବର୍ଷା ହୋଇପାରେ । ସେହିଭଳି ଆଭ୍ୟନ୍ତରୀଣ ଓ ଉପକୂଳର ପ୍ରାୟ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି ।