(ଭୁବନେଶ୍ୱର) : ଉତ୍ତର ଓଡ଼ିଶା ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପୂର୍ବ ଝାଡ଼ଖଣ୍ଡ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା ଏହି ଘୂର୍ଣ୍ଣିବଳୟ ଆହୁରି ପ୍ରଭାବୀ ହେବ । ଏହାର ପ୍ରଭାବରେ ଆସନ୍ତା ୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ । ଗୁରୁବାର ଅଧିକ ବର୍ଷା ହୋଇପାରେ । ତେବେ ଏନେଇ ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ଏହି ପୂର୍ବାନୁମାନ କରିଛନ୍ତି ।
ଗତକାଲି (ବୁଧବାର) ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ୧୪ ଜିଲ୍ଲାରେ ଅତି କମ୍ ବର୍ଷା ରେକର୍ଡ ହୋଇଛି । ଅନୁଗୁଳରେ ମାତ୍ର ୦.୧ ମିଲିମିଟର, କଟକରେ ୦.୨, ଗଞ୍ଜାମରେ ୦.୩, କଳାହାଣ୍ଡିରେ ୦.୮, ନବରଙ୍ଗପୁରରେ ୧.୧, ସମ୍ବଲପୁରରେ ୧.୫, କେନ୍ଦ୍ରାପଡ଼ାରେ ୧.୧, ସୁନ୍ଦରଗଡ଼ରେ ୧.୩, ରାୟଗଡ଼ାରେ ୧.୭, ଓ ଗଜପତିରେ ୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆଗାମୀ ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସେହିପରି କେନ୍ଦୁଝରରେ ୫୩.୫ ମିଲିମିଟର ବର୍ଷା ହୋଇଛି । ଜଗତ୍ସିଂହପୁରରେ ୩୯.୧, ଢେଙ୍କାନାଳରେ ୩୩.୬, ଯାଜପୁରରେ ୩୧, ସମ୍ବଲପୁରରେ ୨୨.୭, ବୌଦ୍ଧରେ ୨୨ ଓ କଟକରେ ୧୯.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆଉ ୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।