ମୁଣ୍ଡ କଟିଯାଉ ପଛେ ଗଛ କାଟିବାକୁ ଦେବୁନି

ନୂଆଦିଲ୍ଲୀ : ଗଛ କଟାକୁ ବିରୋଧ । ୬ଟି ଗଛ କାଟିଦେଇଥିବା ସରକାରୀ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ । ଏପରି ଘଟଣା ସାମ୍ନାକୁ ଆସିଛି ଝାଡଖଣ୍ଡରେ । ମୁଣ୍ଡ କଟିଯାଉ ହେଲେ ଗଛ କଟିଲେ ବରଦାସ୍ତ କରାଯିବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।
ସୂଚନାନୁସାରେ, ଝାଡଖଣ୍ଡର ଟାଣ୍ଡାଗକେଲ ଗ୍ରାମରେ ଥିବା ୬ଟି ବିଶାଳ ଆମ୍ବ ଗଛକୁ ପ୍ରଶାସନ କାଟି ଦେଇଥିଲା । ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ଆଉ କିଛି ଗଛ କାଟିବାକୁ ସରକାରୀ ବାବୁ ଆସିଥିଲେ । ଏହାକୁ ନେଇ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି । ପୂର୍ବରୁ ବି ସେମାନେ ଗଛ ନକାଟିବାକୁ ପ୍ରଶାସନକୁ ଚେତାବନୀ ଦେଇଥିଲେ । କିନ୍ତୁ ପ୍ରଶାସନ ନମାନି ଗଛ କାଟି ପକାଇଥିଲା ।
ଗଛ କାଟିବା ପରେ ପ୍ରଶାସନ ଚିନ୍ତାରେ ପଡିଛି । ଶହଶହ ଗ୍ରାମବାସୀ ହାତରେ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଛନ୍ତି । ସେମାନେ ପୋଲିସ ଓ ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଇଛନ୍ତି । ଏଥିରେ ମହିଳାମାନେ ବି ବିପୁଳ ସଂଖ୍ୟାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।
ଗ୍ରାମବାସୀଙ୍କୁ ବୁଝାଇବାକୁ ସରକାରୀ ଅଧିକାରୀଙ୍କ ସମେତ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଲାଗି ପଡିଛନ୍ତି । ଏବେ ଅନ୍ୟ ଗଛ କାଟିବା ଓ ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲାଗିଥିବା ଅଧିକାରୀ କହିଛନ୍ତି । ପରିବେଶ ସନ୍ତୁଳନ ପାଇଁ ଗ୍ରାମବାସୀ ଗଛକଟାକୁ ବିରୋଧ କରୁଥିବା ପ୍ରକାଶ କରିଛନ୍ତି ।