ଓ୍ବାକଫ ମୁସଲମାନଙ୍କର କୌଣସି ଧାର୍ମିକ ସଂସ୍ଥା ନୁହେଁ, ବରଂ ଏକ ସାମ୍ବିଧାନିକ ସଂସ୍ଥା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟକୁ କହିଛନ୍ତି ଯେ ଅନେକ ୱାକଫ ସମ୍ପତ୍ତି କେବଳ ମୁସଲମାନମାନଙ୍କ ମଧ୍ୟରେ ସୀମିତ ନୁହେଁ ବରଂ ଏଥିରେ ଅନ୍ୟ ସମ୍ପ୍ରଦାୟର ଅଧିକାର ଏବଂ ଦାବି ମଧ୍ୟ ଜଡିତ । ସରକାରଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଏହି ସମ୍ପତ୍ତିଗୁଡ଼ିକୁ ନିୟନ୍ତ୍ରଣ କରିବା ଏକ ସାର୍ବଜନୀନ ଶୃଙ୍ଖଳା ସମସ୍ୟା ହୋଇପାରେ କାରଣ ଏପରି ବିବାଦର ବ୍ୟାପକ ପରିଣାମ ହୋଇପାରେ । କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରି କହିଥିଲେ ଯେ ‘ସାମ୍ବିଧାନିକତାର ଧାରଣା’ ଏହା ସପକ୍ଷରେ ଥିବାରୁ ଏହି ଆଇନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇପାରିବ ନାହିଁ।

ଓ୍ବାକଫ ସଂଶୋଧନ ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ଏଥିରେ ସରକାର ଆଇନକୁ ସ୍ପଷ୍ଟ ରୂପେ ସମର୍ଥନ କରିଛନ୍ତି । ସରକାର ସତ୍ୟପାଠରେ କହିଛନ୍ତି, ସଂସଦ ଦ୍ଵାରା ପାରିତ ଆଇନ, ବିଶେଷକରି ଯୁଗ୍ନ ସଂସଦୀୟ କମିଟି(ଜେପିସି)ର ସୁପାରିସ ଏବଂ ସଂସଦରେ ବ୍ୟାପକ ଆଲୋଚନା ପରେ ତିଆରି ହୋଇଥିବା ଆଇନକୁ ସମ୍ବିଧାନ ଅନୁସାରେ ବୈଧ ବୋଲି ବିବେଚନା କରାଯାଏ । ଓ୍ବାକଫ ମୁସଲମାନଙ୍କର କୌଣସି ଧାର୍ମିକ ସଂସ୍ଥା ନୁହେଁ, ବରଂ ଏକ ସାମ୍ବିଧାନିକ ସଂସ୍ଥା । ଏହି ଆଇନ ନିର୍ବାଚିତ ଜନପ୍ରତିନିଧିମାନଙ୍କ ଭାବନାକୁ ଦର୍ଶାଉଛି । ସେମାନେ ହିଁ ବହୁମତ ଦେଇ ଏହାକୁ ପାରିତ କରିଛନ୍ତି । ସରକାର ଅନୁରୋଧ କରିଛନ୍ତି ଯେ, ବର୍ତ୍ତମାନ ସମୟରେ ଆଇନର କୌଣସି ପ୍ରାବଧାନ ଉପରେ ଅଦାଲତରେ ଅନ୍ତରୀଣ ରହିତାଦେଶ ନ ଦିଅନ୍ତୁ । ଏହି ସଂଶୋଧିତ ଆଇନ ଦ୍ଵାରା କୌଣସି ବ୍ୟକ୍ତିଙ୍କର ଓ୍ବାକଫ ଗଠନ କରିବାର ଧାର୍ମିକ ଅଧିକାରରେ କୌଣସି ହସ୍ତକ୍ଷେପ କରାଯାଇନାହିଁ । କେବଳ ଏହାର ପରିଚାଳନା ଏବଂ ପାରଦର୍ଶିତା ସୁନିଶ୍ଚିତ କରିବା ଲାଗି ଏହି ଆଇନରେ ପରିବର୍ତ୍ତନ କରାଯାଇଛି । ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏହାର ୧୩୩୨ ପୃଷ୍ଠାର ପ୍ରାରମ୍ଭିକ କାଉଣ୍ଟର-ଆଫିଡାଭିଟ୍‌ରେ, ସରକାର ବିବାଦୀୟ ଆଇନକୁ ସମର୍ଥନ କରି କହିଛନ୍ତି ଯେ ଏହା ଆଶ୍ଚର୍ଯ୍ୟର ବିଷୟ ଯେ ୨୦୧୩ ପରେ, ୱାକଫ ଜମିରେ ୨୦ ଲକ୍ଷ ହେକ୍ଟରରୁ ଅଧିକ ବୃଦ୍ଧି ଘଟିଛି ।