ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଭୋଟିଂ । ସଠିକ ପାର୍ଥିଙ୍କୁ ଭୋଟ ଦେଇ ବିଧାୟକ ବାଛୁଛନ୍ତି ଭୋଟର। ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଥିବା ବେଳେ । ମୋଟ ୨ ଲକ୍ଷ ୧୪ ହଜାର ୮ ଶହ ୭୮ ଜଣ ଭୋଟର ଭୋଟ ଦେଉଛନ୍ତି । ଏହି ମତଦାନ ପ୍ରକ୍ରିୟା ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।ଅନ୍ୟପକ୍ଷେ, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ବୁଥ ଯାଇ ମତ ସାବ୍ୟସ୍ତ କରିଛନ୍ତି । ତିନି ପ୍ରମୁଖ ଦଳ ମଧ୍ୟରୁ ବିଜେଡି ପ୍ରାର୍ଥୀ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟକ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନି ଅଳକା ମହାନ୍ତିଙ୍କ ପଲା ଭାରୀ ରହିଛି ।ସେହିଭଳି ଏଠାରେ କଂଗ୍ରେସର ଦବଦବା ମଧ୍ୟ କାୟମ ରହିଛି ।
ସୂଚନା ଅନୁଯାୟୀ ୨୨ଟି ନୂଆ ବୁଥ୍ ସମେତ ୨୭୯ ବୁଥରେ ମତଦାନ କରାଯାଉଛି । ସେଥିମଧ୍ୟରୂୁ ୬୦ ଟି ବୁଥ ସମ୍ବେଦନଶୀଳ ଘୋଷଣା କରାଯାଇଥିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।ଏହି ବୁଥରେ ମାଇକ୍ରୋ ଅବଜରଭର ଓ ସେଣ୍ଟ୍ରାଲ ଫୋର୍ସ ନିୟୋଜିତ ହୋଇଛନ୍ତି । ଏଥିସହ ୩୦ଟି ମଡେଲ ପୋଲିଂ ସହ ୫ଟି ପିଙ୍କ୍ ବୁଥରେ ଚାଲିଛି ଭୋଟିଂ ।
ତେବେ ପିଙ୍କ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ନିଯୁକ୍ତ ରହିଛନ୍ତି । ୧୨୮୮ଜଣ ପୋଲିଂ ଅଫିସର ନିଯୁକ୍ତ ହୋଇଥିବା ବେଳେ, ଆଇନ ଶୃଙ୍ଖଳା ପାଇଁ ୧୦୦୦ ପୋଲିସ କର୍ମଚାରୀ ମୁତୟନ ରହିଛନ୍ତି । ସେହିଭଳି ୫୦ ପ୍ରତିଶତ ବୁଥରେ ଓ୍ବେବକାଷ୍ଟିଂ କରାଯାଉଛି । ବରିଷ୍ଠ ଭୋଟର ଏବଂ ଦିବ୍ୟାଙ୍ଗଙ୍କ ଭୋଟରଙ୍କ ନିମନ୍ତେ ସବୁ ବୁଥରେ ରାମ୍ପ, ହ୍ୱିଲଚେୟାର ସହ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ପୂର୍ବରୁ ୮୦ ବର୍ଷରୁ ଊର୍ଦ୍ଧ୍ୱ ୩୧୨ ଜଣ ଭୋଟର ପୋଷ୍ଟାଲ ବାଲଟରେ ମତଦାନ କରିସାରିଛନ୍ତି ।