ନିର୍ବାଚନ ପୂର୍ବରୁ ହେଲିକପ୍ଟର ଧରି ଘନ ଘନ ଉଡ଼ୁଥିଲେ । ଏକା ଏକା ପ୍ରଚାର କରୁଥିଲେ । ୨୪ ନିର୍ବାଚନ ବେଳେ ଓ ତାପୂର୍ବରୁ ଜିଲ୍ଲାରୁ ଜିଲ୍ଲା ବୁଲୁଥିବା ଭି.କେ ପାଣ୍ଡିଆନଙ୍କ ହେଲିକପଟର ଗସ୍ତ ଖର୍ଚ୍ଚ କେତେ ? ତଥ୍ୟ ମାଗି ମାଗି ଆରଟିଆଇ କର୍ମୀ ହାଲିଆ, ହେଲେ ହିସାବ ମିଳୁନି। ଆଉ ତା’ଭିତରେ ଆଜି ପରିବହନମନ୍ତ୍ରୀ ବିଭୂତି ଜେନା ଏକ ବଡ଼ ବୟାନ ଦେଇ କହିଛନ୍ତି- ରାଜକୋଷ ଲୁଣ୍ଠନ ଆଦୌ ଗ୍ରହଣୀୟ ନୁହେଁ। ରାଜ୍ୟ ସରକାର ତଦନ୍ତ କରୁଛନ୍ତି, ନିଶ୍ଚେ କାର୍ଯ୍ୟାନୁଷ୍ଠାନ ହେବ। ତେଣେ ଏ ପ୍ରସଙ୍ଗକୁ ନେଇ ରାଜନୀତି ବି ତେଜିଛି।
ଏଣେ ସୂଚନା ଅଧିକାର ଆଇନ୍ ବଳରେ ପାଣ୍ଡିଆନଙ୍କ ହେଲିକପଟର ଗସ୍ତ ଖର୍ଚ୍ଚର ହିସାବ ଜାଣିବାକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରରୁ ପରିବହନ ବିଭାଗ ପର୍ଯ୍ୟନ୍ତ ଦୀର୍ଘ ୬ମାସ ଚକ୍କର କାଟିବା ପରେ ଟଙ୍କାଟିଏ ବି ହିସାବ ପାଇନଥିବା ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ ଗଣମାଧ୍ୟମ ଆଗରେ ରଖିଛନ୍ତି ରୋଚକ ତଥ୍ୟ। ପ୍ରଦୀପ କହିଛନ୍ତି- ନବୀନଙ୍କ ପ୍ରତିନିଧି ଭାବେ ନିର୍ବାଚନ ପୂର୍ବରୁ ଜିଲ୍ଲାରୁ ଜିଲ୍ଲାକୁ ହେଲିକପଟରରେ ଉଡ଼ି ପାଣ୍ଡିଆନ୍ ଅଭିଯୋଗପତ୍ର ସଂଗ୍ରହ ପାଇଁ ବୁଲୁଥିବାର ତଥ୍ୟ କିଛି ଜିଲ୍ଲାପାଳଙ୍କଠୁ ମିଳିଛି।