କୋଲକାତା: ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ପରବର୍ତ୍ତୀ ଫିଲ୍ମ ‘ଦି ବେଙ୍ଗଲ ଫାଇଲ୍ସ’ର ଟ୍ରେଲର ରିଲିଜ୍ ହୋଇଯାଇଛି । ଯେଉଁଥିରେ ଅନୁପମ ଖେର ମହାତ୍ମା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି। ଏହା ବ୍ୟତୀତ ମିଥୁନ ଚକ୍ରବର୍ତ୍ତୀ, ପଲ୍ଲବୀ ଜୋଶୀ ଏବଂ ଦର୍ଶନ କୁମାରଙ୍କ ଭଳି ଶକ୍ତିଶାଳୀ ଅଭିନେତା ମଧ୍ୟ ଭିନ୍ନ ଭିନ୍ନ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ସେପଟେ ରିଲିଜ ପୂର୍ବରୁ ବିବାଦ ଘେରରେ ଫିଲ୍ମ ‘ଦ ବେଙ୍ଗଲ ଫାଇଲ୍ସ’ । ଆଜି ଟ୍ରେଲର ରିଲିଜ ହୋଇଥିବା ବେଳେ କୋଲକାତାର ଫିଲ୍ମର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଦେଖାଦେଇଛି ବିବାଦ । ଫଳରେ ଅଧାରେ ବନ୍ଦ କରାଗଲା କାର୍ଯ୍ୟକ୍ରମ । ଯାହାକୁ ନେଇ ବିବେକ ଅଗ୍ନିହୋତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ପ୍ରଶ୍ନ ଉଠାଇଛନ୍ତି । ରାଜନୈତିକ କାରଣରୁ ଟ୍ରେଲର ପ୍ରଦର୍ଶନ କରାଯାଇନଥିଲା ବୋଲି ନିର୍ଦ୍ଦେଶକ ଅଭିଯୋଗ କରି ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।
ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଅଭିଯୋଗ କରିଛନ୍ତି ଯେ ‘ଦ ବେଙ୍ଗଲ ଫାଇଲ୍ସ’ର ଟ୍ରେଲର ଲଞ୍ଚ ବାଧାପ୍ରାପ୍ତ ହୋଇଥିଲା । ଟ୍ରେଲରଟି ପୂର୍ବରୁ ଚାଲୁଥିଲା, ଏହାକୁ ବନ୍ଦ କରିଦିଆଯାଇଥିଲା । ଏତେ ବଡ଼ ସେଟଅପ୍ କରାଯାଇଥିଲା । ବହୁତ ଟଙ୍କା ଖର୍ଚ୍ଚ ହୋଇଥିଲା । ମଞ୍ଚ ଉପରେ, ନିର୍ଦ୍ଦେଶକ ମାଇକ୍ରୋଫୋନରେ ଅଭିଯୋଗ କରିଥିଲେ, “ଶେଷ ମୁହୂର୍ତ୍ତରେ ସେମାନେ କହିଥିଲେ, ଏହି ଟ୍ରେଲରଟି ଦେଖାଯାଇପାରିବ ନାହିଁ । ଏଠାରେ କ’ଣ ଘଟୁଛି ତାହା ଆପଣ ଦେଖିପାରିବେ । ଆମେ ସମସ୍ତ ପ୍ରକାରର ଅନୁମତି ନେବା ପରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଛୁ । ଆପଣଙ୍କ ଆଖି ସାମ୍ନାରେ ସବୁକିଛି ଘଟୁଛି । ପ୍ରଥମେ ଥିଏଟରରେ ଟ୍ରେଲର ଲଞ୍ଚ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା, ତା’ପରେ ହୋଟେଲରେ । ଆପଣ ବଙ୍ଗଳାର ପରିସ୍ଥିତି ବୁଝିପାରିବେ । ଶାସକ ଦଳ କ’ଣ ଭୟ କରୁଛି ଯେ ଯଦି ନିର୍ବାଚନ ପୂର୍ବରୁ ଏପରି ଟ୍ରେଲର ଆସିଯାଏ, ତେବେ ସେମାନଙ୍କର ସମସ୍ୟା ହେବ ?”
ତେବେ ୫ ସେପ୍ଟେମ୍ବର, ୨୦୨୫ରେ ସିନେମା ହଲରେ ଆସିବାକୁ ଥିବା ଏହି ସିନେମାରେ ବଙ୍ଗ ବିଭାଜନରେ ପୂର୍ବରୁ ଘଟିଥିବା ହତ୍ୟାକାଣ୍ଡକୁ ଦର୍ଶାଯାଇଛି, ଯାହା ଭୟଙ୍କର, ଏବଂ ଛାତିଥରା ଥିଲା । ୧୯୪୬ ମସିହାରେ କଲିକତା ଦଙ୍ଗା ଉପରେ ଏହି ଫିଲ୍ମର କାହାଣୀ ଆଧାରିତ ହୋଇଛି । ବିବେକ ରଂଜନ ଅଗ୍ନିହୋତ୍ରୀଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟିରେ ମିଥୁନ ଚକ୍ରବର୍ତ୍ତୀ, ଅନୁପମ ଖେର, ଦର୍ଶନ କୁମାର ଏବଂ ପଲ୍ଲାଭି ଯୋଶୀ ପ୍ରମୁଖ ଅଭିନୟ କରିଛନ୍ତି । ଏତଦ୍ ବ୍ୟତୀତ ‘ଗଦର ୨’ର ସିମରତ କୌର ମଧ୍ୟ ଫିଲ୍ମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ।