କ୍ରିକେଟର କଥା ଆସିଲେ ଯେଉଁ କେତେଜଣ ଆଗଧାଡିର ଖେଳାଳୀଙ୍କ ନାଁ ଆସେ ଯେଉଁମାନେ କ୍ରିକେଟକୁ ଏକ ନୂଆ ରୂପ ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିରାଟ କୋହଲି । ଆଜି ସେ ନିଜର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କୁ କେବଳ ଭାରତର ନୁହେଁ, ପୁରା ବିଶକବର ଜଣେ ସଫଳ ଖେଳାଳୀ ଭାବେ ବିବେଚନା କରାଯାଏ । ସେ ୫୫୦ରୁ ଅଧିକ ଆନ୍ତର୍ଜାତୀୟ ମ୍ୟାଚ ଖେଳି ମୋଟ ୮୨ ଶତକ ହାସଲ କରିବା ସହ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ସ୍କୋରରଙ୍କ ତାଲିକାରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ଜନ୍ମଦିନରେ ବିସିସିଆଇ ବ୍ୟତୀତ ଅନ୍ୟ ଖେଳାଳୀ ଏବଂ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ତେବେ କୋହଲିଙ୍କ କ୍ରିକେଟ କ୍ୟାରିୟର କଥା କହିବାକୁ ଗଲେ, ସେ ଏପର୍ଯ୍ୟନ୍ତ ୫୫୩ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳି ୨୭, ୬୭୩ ରନସଂଗ୍ରହ କରିଛନ୍ତି । ଆନ୍ତର୍ଜାତୀୟ କ୍ୟାରିୟରରେ ସେ ମୋଟ ୮୨ ଟି ଶତକ ଓ ୧୪୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହାସହ ତାଙ୍କ ନାମରେ ସବୁଠୁ ଅଧିକ ୱାନଡେ ସେଞ୍ଚୁରୀ ମଧ୍ୟ ରହିଛି । ସେ ୫୧ଟି ଶତକ ସହ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇଛନ୍ତି । ସେହିପରି କୋହଲି ୩୦୫ଟି ଦିନିକିଆ ମ୍ୟାଚ ଖେଳି ସାରିଥିବା ବେଳେ ଏବେ ବି ତାଙ୍କର ଦିନିକିଆ ଯାତ୍ରା ଜାରି ରହିଛି । ତେବେ ଏହି ୩୦୫ଟି ମ୍ୟାଚରେ ସେ ୧୪, ୨୫୫ ରନ କରିଛନ୍ତି । ଏହାସହ ବିରାଟ କୋହଲି ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ୩ଟି ଆଇସିସି ଟ୍ରଫି ଜିତିଛନ୍ତି । ବିରାଟ ଏବେ ଟେଷ୍ଟ ଏବଂ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି । ତେବେ ସେ ୨୦୨୪ ଟି-୨୦ ବିଶ୍ୱକପରେ ବିଜୟୀ ଦଳର ଅଂଶ ଥିଲେ । ଏହାପରେ ସେ ଟି-୨୦ ଆର୍ନ୍ତଜାତୀୟ କ୍ୟାରିୟରରୁ ଅବସର ନେଇଥିଲେ । ୨ଟି ଫର୍ମାଟରୁ ଅବସର ନେବା ପରେ କୋହଲି ଏବେ ଦିନିକିଆ କ୍ରିକେଟ ଖେଳୁଛନ୍ତି ।