ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ, ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ବାଛିବା ପାଇଁ ହେବାକୁ ଥିବା ନିର୍ବାଚନ ଓ ନାମାଙ୍କନ ଦାଖଲର ତାରିଖ ସାମ୍ନାକୁ ଆସିଛି । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ନିର୍ବାଚନ କମିଶନ । ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ହେବ ଉପରାଷ୍ଟ୍ରପତି ନିର୍ବାଚନ । ଆସନ୍ତା ୭ ତାରିଖରେ ଏନେଇ ପ୍ରକାଶ ପାଇବ ବିଜ୍ଞପ୍ତି । ଅଗଷ୍ଟ ୨୧ ତାରିଖ ନାମାଙ୍କନର ଶେଷ ତାରିଖ । ଅଗଷ୍ଟ ୨୫ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷଦିନ । ଆବଶ୍ୟକ ହେଲେ ସେପ୍ଟେମ୍ବର ୯ରେ ହେବ ନିର୍ବାଚନ । ସେପ୍ଟେମ୍ବର ୯ରେ ସକାଳ ୧୦ରୁ ସଂଧ୍ୟା ୫ ଯାଏଁ ହେବ ଭୋଟ୍‌ ଗ୍ରହଣ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପଟେ କିଏ ହେବେ ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ପଦବୀ । ଗତ ୨୦୨୨ ଅଗଷ୍ଟ ୮ ତାରିଖରେ ହୋଇଥିଲା ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ। ନିର୍ବାଚିତ ହୋଇ ୨୦୨୨ ଅଗଷ୍ଟ ୧୧ ତାରିଖରେ ଭାରତର ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିଥିଲେ ଜଗଦୀପ ଧନଖଡ଼ । କିନ୍ତୁ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ଗତ ଜୁଲାଇ ୨୧ ତାରିଖରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୭ରେ ଶେଷ ହେବାର ଥିଲା। କିନ୍ତୁ କାର୍ଯ୍ୟକାଳ ଶେଷ ହେବାର ୨ବର୍ଷ ପୂର୍ବରୁ ହଠାତ୍ ସେ ପଦରୁ ଇସ୍ତଫା ଦେବାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା।