କାହ୍ନୁ ଚରଣ ଲେଙ୍କାଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବରିଷ୍ଠ ରାଜନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକରେ ସମଗ୍ର ଓଡ଼ିଶାରେ ଶୋକର ଛାୟା ପଡ଼ିଛି। ୮୬ ବର୍ଷ ବୟସରେ ସେ ପରଲୋକଗମନ କରିଛନ୍ତି। ଅସୁସ୍ଥତା କାରଣରୁ କିଛି ଦିନ ଧରି ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ବରିଷ୍ଠ ନେତା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ପୂର୍ବତନ ସାଂସଦ କାହ୍ନୁଚରଣ ଲେଙ୍କାଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଉଛି ଓ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।”

ସେହିପରି ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। କାହ୍ନୁଚରଣ ଲେଙ୍କାଙ୍କ ଦେହାନ୍ତ ଓଡ଼ିଶା ରାଜନୀତି ପାଇଁ ଏକ ବଡ଼ କ୍ଷତି ଭାବେ ଦେଖାଯାଉଛି। ୧୯୩୯ ମସିହାରେ ଜନ୍ମଗ୍ରହଣ କରିଥିବା ସେ ୧୯୫୭ରେ କଂଗ୍ରେସ ଦଳରେ ଯୋଗଦେଇଥିଲେ ଓ ଦୀର୍ଘ ସମୟ ଧରି ସକ୍ରିୟ ରାଜନୀତିରେ ଅବଦାନ ରଖିଥିଲେ। ସେ ୧୯୮୮ରୁ ୧୯୯୪ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଭାବେ କାମ କରିଥିଲେ। ଏହାସହ କେନ୍ଦ୍ର ସରକାରରେ ରେଳ ଓ କୃଷି ବିଭାଗରେ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନିଭାଇଥିଲେ। ୧୯୯୫ ମସିହାରେ ସେ ଚୌଦ୍ୱାର ବିଧାନସଭା ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ଓଡ଼ିଶା ରାଜନୀତିରେ ତାଙ୍କର ଅବଦାନ ସଦା ସ୍ମରଣୀୟ ରହିବ। ତାଙ୍କ ପରଲୋକରେ ରାଜ୍ୟର ବିଭିନ୍ନ ମହଳରୁ ଶୋକର ସୂଚନା ଆସୁଛି।