ଭୁବନେଶ୍ଵର: ଯାତ୍ରା କଳାକାର ଦେବୀ ରଥଙ୍କ ମୃତ୍ୟୁ ନେଇ ପୁଅ ଆଣିଲେ ଗୁରୁତର ଅଭିଯୋଗ । ଡିଜେର ବିକଟାଳ ଶବ୍ଦରେ ମୋ ବାପାଙ୍କ ଜୀବନ ଚାଲିଗଲା ବୋଲି କହିଛନ୍ତି ଦେବୀଙ୍କ ପୁଅ । କାଲି ପାରାଦୀପ ଗଡ଼ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା ହେଉଥିଲା । କାହାକୁ କହିଲେ ବି କେହି ଶୁଣିଲେନି, ଆମ ଘର ଦୁଲୁକୁଥିଲା । ଏକସଙ୍ଗେ ୩ଟି ଡିଜେ ଗାଡ଼ି କର୍କଶ ଶବ୍ଦ କରି ଶୋଭାଯାତ୍ରା କଲେ । କିପରି ଜଣେ ୭୧ ବର୍ଷୀୟ ଅସୁସ୍ଥ ଲୋକ ଏହାକୁ ସମ୍ଭାଳି ଥାନ୍ତେ । ରାତି ସାଢ଼େ ୨ଟା ପର୍ଯ୍ୟନ୍ତ ସବୁ ଠିକ୍ ଥିଲା, ଡିଜେ ବାଜିଲା ପରେ ମୃତ୍ୟୁ ହେଲା ବୋଲି କହିଛନ୍ତି ଦେବୀଙ୍କ ପୁଅ ।

ସେପଟେ ଦେବୀ ରଥଙ୍କ ଘର ପାଖରେ ଡିଜେ ବାଜିନି ବୋଲି କହି ଅଭିଯୋଗ ଖଣ୍ଡନ କରିଛନ୍ତି ସଂଘ ସଭାପତି । ମାତ୍ର ଶୋଭାଯାତ୍ରା ବେଳେ ବାଜାକୁ ନେଇ ପ୍ରତିଦ୍ବନ୍ଦ୍ବିତା ହୋଇଥିବା ଜାଣିଛି । ଡିଜେ ଉପରେ ଅଙ୍କୁଶ, ମାତ୍ର ବାଜାକୁ ନେଇ କୌଣସି କଟକଣା ନାହିଁ । ଯେଉଁଥିପାଇଁ ଏକ ଅମୂଲ୍ୟ ଜୀବନ ଚାଲିଗଲା । ସେଥିପାଇଁ ଆମେ ଦୁଃଖିତ । ଯେଉଁ ବାଜା ଦଳ ଆସିଥିଲା, ତାହା କେନ୍ଦ୍ରାପଡ଼ାର । ତାକୁ ଦଣ୍ଡିତ କରାଯାଉ ବୋଲି କହିଛନ୍ତି ସଂଘ ସଭାପତି ।

କହିରଖୁଛୁ ଯେ, ୭୧ ବର୍ଷ ବୟସରେ ମହାନ ଯାତ୍ରା କଳାକାର ଦେବୀ ପ୍ରସାଦ ରଥଙ୍କ ମୃତ୍ୟୁ ହୋଇଛି । ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଗଡ଼ରେ ନିଜ ଗାଁରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି । ଯାତ୍ରା ଜଗତର ଦେବୀ ବାପା ଭାବେ ଥିଲେ ଖ୍ୟାତ୍ । ଜଣେ ଉଚ୍ଚକୋଟୀର କଳାକାର । ହିରୋଇନରୁ ହିରୋ, ଆଣ୍ଟି ହିରୋ ସବୁପ୍ରକାର ଚରିତ୍ରରେ ସେ କରିଛନ୍ତି ଅଭିନୟ । ୫୦ ବର୍ଷରୁ ଅଧିକ ସମୟ ଓଡ଼ିଆ ଯାତ୍ରା ଜଗତରେ ରାଜ କରିଥିଲେ । ସତୁରି ଦଶକରେ ଯାତ୍ରା ଜଗତରେ ପାଦ ଥାପିଥିଲେ। ବୀଣାପାଣି କଳାକୁଞ୍ଜ ତାରାପୁର ଅପେରାରୁ ଅଭିନୟ ଆରମ୍ଭ କରି ପାର୍ବତୀ ଗଣନାଟ୍ୟରେ ଶେଷ କରିଥିଲେ।