ନୂଆଦିଲ୍ଲୀ-: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଅଘୋଷିତ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପାକିସ୍ତାନ ଅପରେସନ ‘ସିନ୍ଦୂର’ର ପ୍ରତିଆକ୍ରମଣ କରିବା ପରେ ଭାରତ ପକ୍ଷରୁ ଗୁରୁବାର ରାତି ସାରା ପାକ୍ର ଏକାଧିକ ସହର ଉପରେ ଘନ ଘନ ଆକ୍ରମଣ କରାଯାଇଥିଲା। ରାଜଧାନୀ ଇସଲାମାବାଦ ସମେତ ଲାହୋର, ରାଓଲପିଣ୍ଡି, ପେଶାଓ୍ବର, କରାଚୀ ବନ୍ଦର ସମେତ ଅନ୍ୟ କେତେକ ପ୍ରମୁଖ ସ୍ଥାନରେ ଭାରତ ଆକ୍ରମଣ କରିଥିଲା। ଶୁକ୍ରବାର ପରିସ୍ଥିତିକୁ ସମୀକ୍ଷା କରୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।
ଏହି ବୈଠକରେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନୀଲ ଚୌହାନ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଏପି ସିଂ ଏବଂ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ ଉପସ୍ଥିତ ଥିଲେ। ଏହା ପାକିସ୍ତାନ ପକ୍ଷରୁ ଭାରତର ପଶ୍ଚିମ ସୀମାରେ ଡ୍ରୋନ ଓ ମିସାଇଲ ଆକ୍ରମଣର ମାତ୍ର ୨୪ ଘଣ୍ଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରାତିର ଅନ୍ଧକାରରେ ପାକିସ୍ତାନର ଆକ୍ରମଣ ସତ୍ତ୍ୱେ, ଭାରତର ପ୍ରତିରକ୍ଷା ନେତୃତ୍ୱ ଶାନ୍ତ, ଆତ୍ମବିଶ୍ୱାସୀ ଏବଂ ଆନନ୍ଦିତ ଦେଖାଯାଉଥିଲେ, ଯାହା ଦେଶକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଉଥିଲା: ଭାରତ ସୁରକ୍ଷିତ, ଏହାର ନେତୃତ୍ୱ ସତର୍କ ଏବଂ ଆତଙ୍କିତ ହେବାର କୌଣସି କାରଣ ନାହିଁ।
ଏହି ବୈଠକ ପରେ, ପ୍ରତିରକ୍ଷା ମନ୍ତ୍ରୀ DRDO ମୁଖ୍ୟଙ୍କୁ ଭେଟିବେ। ଯେଉଁଠାରେ ସେ ଦେଶରେ ଉପସ୍ଥିତ ଅସ୍ତ୍ରଶସ୍ତ୍ର, ସାମରିକ ଉପକରଣର ଉପଲବ୍ଧତା ଏବଂ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନର ପ୍ରଗତି ବିଷୟରେ ସମୀକ୍ଷା କରିବେ। ପ୍ରତିରକ୍ଷା ରଣନୀତି ଦୃଷ୍ଟିରୁ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି।