ଖୁସି ଖବର: ୨୦୩୧ ପର୍ଯ୍ୟନ୍ତ ବଢ଼ିଲା ଅଟଳ ପେନସନ୍ ଯୋଜନା, ଉପକୃତ ହେବେ ୮.୬୬ କୋଟିରୁ ଅଧିକ ଲୋକ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ବୈଠକରେ ଅଟଳ ପେନସନ୍ ଯୋଜନା (APY)କୁ ଆର୍ଥିକ ବର୍ଷ ୨୦୩୦-୩୧ ପର୍ଯ୍ୟନ୍ତ ଜାରି ରଖିବାକୁ ମଞ୍ଜୁରି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ, ଯୋଜନାର ପ୍ରଚାର, ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ଗ୍ୟାପ୍ ଫଣ୍ଡିଂ ପାଇଁ ସରକାରୀ ସହାୟତା ବଢ଼ାଇବାକୁ ମଧ୍ୟ ଅନୁମୋଦନ ମିଳିଛି। ୯ ମେ ୨୦୧୫ରେ ଆରମ୍ଭ ହୋଇଥିବା ଅଟଳ ପେନସନ୍ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କୁ ବୃଦ୍ଧାବସ୍ଥାରେ ଆୟ ସୁରକ୍ଷା ଯୋଗାଇବା।

ଏହି ଯୋଜନା ଅନୁସାରେ, ଲାଭାନ୍ୱିତ ବ୍ୟକ୍ତି ୬୦ ବର୍ଷ ବୟସ ପୂରଣ କରିବା ପରେ ପ୍ରତିମାସ ୧୦୦୦ ଟଙ୍କାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ନିଶ୍ଚିତ ପେନସନ୍ ପାଇଥାନ୍ତି। ଲାଭାନ୍ୱିତଙ୍କ ଅଂଶଦାନ ସେଭିଂସ୍ ଆକାଉଣ୍ଟରୁ ଅଟୋ-ଡେବିଟ୍ ମାଧ୍ୟମରେ ହୁଏ ଏବଂ ମାସିକ, ତ୍ରୈମାସିକ କିମ୍ବା ଅର୍ଦ୍ଧବାର୍ଷିକ ଭାବେ ଦେବାର ବିକଳ୍ପ ରହିଛି। ଲାଭାନ୍ୱିତଙ୍କ ମୃତ୍ୟୁ ହେଲେ, ପେନସନ୍ ସ୍ତ୍ରୀ କିମ୍ବା ସ୍ଵାମୀଙ୍କୁ ମିଳିଥାଏ ଏବଂ ଉଭୟଙ୍କ ମୃତ୍ୟୁ ପରେ ସଞ୍ଚିତ ରାଶି ନୋମିନୀଙ୍କୁ ଦିଆଯାଏ। ୧୯ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଅଟଳ ପେନସନ୍ ଯୋଜନା ଅଧୀନରେ ୮.୬୬ କୋଟିରୁ ଅଧିକ ଲୋକ ପଞ୍ଜିକରଣ କରିଛନ୍ତି । ସରକାରଙ୍କ ତଥ୍ୟ ଅନୁସାରେ, ସବୁଠାରୁ ଅଧିକ ପଞ୍ଜିକରଣ ଉତ୍ତର ପ୍ରଦେଶରୁ ହୋଇଛି।