କେନ୍ଦ୍ରୀୟ ବଜେଟ ୨୦୨୬: ୧ ଏପ୍ରିଲ୍ ୨୦୨୬ରୁ ଲାଗୁ ହେବ ନୂତନ ଆୟକର ଆଇନ, ଟିକସଦାତାଙ୍କୁ ମିଳିବ ବଡ଼ ଛାଡ଼

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ ୨୦୨୬ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ବ୍ୟବସ୍ଥାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଆୟକର ଆଇନ ୧ ଏପ୍ରିଲ୍ ୨୦୨୬ ରୁ କାର୍ଯ୍ୟକାରୀ ହେବ। ଏହି ଆଇନ ଅନୁଯାୟୀ, ଟିକସଦାତାମାନେ ଜରିମାନା ପରିବର୍ତ୍ତେ ଟିକସ ଦେଇ ଛାଡ଼ ପାଇପାରିବେ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଭୁଲ ରିପୋର୍ଟିଂ ମାମଲାରେ ଛାଡ଼ ଦେବା ପ୍ରସ୍ତାବ ରହିଛି। ଏହା ସହିତ ଭାରତରେ ଡାଟା ସେଣ୍ଟର ନିର୍ମାଣ କରୁଥିବା କମ୍ପାନୀଗୁଡ଼ିକୁ ଟିକସ ଛାଡ଼ ମଧ୍ୟ ଦିଆଯିବ।

କୋର୍ଟ ଦଣ୍ଡ ପରିବର୍ତ୍ତେ ଜରିମାନା

ନୂତନ ଆୟକର ଆଇନ ଅନୁସାରେ କେତେକ ମାମଲାରେ କୋର୍ଟ ଦଣ୍ଡକୁ ଜରିମାନାରେ ପରିବର୍ତ୍ତନ କରାଯାଇପାରିବ। ଏହା ଦ୍ୱାରା ଟିକସଦାତାମାନେ ଆଇନଗତ ଜଟିଳତାରୁ ରାହାତ ପାଇବେ।

ITR ଫର୍ମ ହେବ ସରଳ

ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଆୟକର ରିଟର୍ଣ୍ଣ (ITR) ଫର୍ମଗୁଡ଼ିକୁ ସରଳୀକୃତ କରାଯିବ। ପ୍ରଯୁଜ୍ୟ ଟିକସ ହାର ବ୍ୟତୀତ ଅତିରିକ୍ତ ୧୦ ପ୍ରତିଶତ ରିହାତି ମିଳିପାରେ। ଗତ ବର୍ଷ ନଭେମ୍ବରରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (CBDT) ମୁଖ୍ୟ ରବି ଅଗ୍ରୱାଲ କହିଥିଲେ ଯେ ସରଳୀକୃତ ଆୟକର ଆଇନ ୨୦୨୫ ଅଧୀନରେ ITR ଫର୍ମ ଓ ନିୟମଗୁଡ଼ିକୁ ସୂଚିତ କରାଯିବ।

୧୯୬୧ର ପୁରୁଣା ଆୟକର ଆଇନକୁ ବଦଳାଇବ 

ନୂତନ ଆୟକର ଆଇନ ଛଅ ଦଶନ୍ଧି ପୁରୁଣା ଆୟକର ଆଇନ, ୧୯୬୧ କୁ ପୂରାପୂରି ବଦଳାଇବ। ଏହି ଆଇନ ଆସନ୍ତା ଆର୍ଥିକ ବର୍ଷ ୨୦୨୬-୨୭ (୧ ଏପ୍ରିଲ୍ ୨୦୨୬) ରୁ କାର୍ଯ୍ୟକାରୀ ହେବ।

ନୂତନ ଆଇନରେ

ଧାରା ସଂଖ୍ୟା ୮୧୯ରୁ କମି ୫୩୬ କରାଯାଇଛି

ଅଧ୍ୟାୟ ସଂଖ୍ୟା ୪୭ ରୁ ୨୩କୁ ହ୍ରାସ ପାଇଛି

ଶବ୍ଦ ସଂଖ୍ୟା ୫.୧୨ଲକ୍ଷରୁ କମି ୨.୬ ଲକ୍ଷ କରାଯାଇଛି

ସ୍ପଷ୍ଟତା ବୃଦ୍ଧି ପାଇଁ ୩୯ଟି ନୂତନ ସାରଣୀ ଏବଂ ୪୦ଟି ନୂତନ ସୂତ୍ର ଅନ୍ତର୍ଭୁକ୍ତ କରାଯାଇଛି।

ଟିକସଦାତାଙ୍କ ପାଇଁ ରିହାତି

ବିଶେଷଜ୍ଞଙ୍କ ମତରେ ନୂତନ ଆୟକର ଆଇନ ଟିକସ ପ୍ରଣାଳୀକୁ ସରଳ, ସ୍ପଷ୍ଟ ଏବଂ ବୁଝିବା ସହଜ କରିବ। ଏହା ଦ୍ୱାରା ଟିକସଦାତାମାନେ ଆଇନଗତ ଜଟିଳତାରୁ ମୁକ୍ତି ପାଇବେ ଏବଂ ଅନୁପାଳନ ପ୍ରକ୍ରିୟା ଅଧିକ ସହଜ ହେବ।