ନୂଆଦିଲ୍ଲୀ: କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଉପସ୍ଥାପନ କରିଥିବା କେନ୍ଦ୍ରୀୟ ବଜେଟ ୨୦୨୬-୨୭ରେ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଇ ଏକ ବଡ଼ ଘୋଷଣା କରିଛନ୍ତି। ‘ଲକ୍ଷପତି ଦିଦି’ ଯୋଜନାର ସଫଳତାକୁ ଆଧାର କରି ଗ୍ରାମୀଣ ମହିଳା ଉଦ୍ୟମୀଙ୍କ ପାଇଁ SHE-Marts (Self-Help Entrepreneur Marts) ଆରମ୍ଭ କରାଯିବ।
କଣ ଏହି SHE-Marts?
SHE-Marts ହେଉଛି ମହିଳାମାନଙ୍କ ମାଲିକାନା ଓ ପରିଚାଳନାରେ ଚାଲିଥିବା ସାମୁଦାୟିକ ଖୁଦ୍ର ବିକ୍ରୟ କେନ୍ଦ୍ର। ଏଠାରେ ସ୍ୱୟଂ ସହାୟତା ଗୋଷ୍ଠୀ (SHG) ସହ ଜଡିତ ମହିଳାମାନେ କୃଷି ଉତ୍ପାଦ, ହସ୍ତଶିଳ୍ପ, ଖାଦ୍ୟ ସାମଗ୍ରୀ ଓ ଛୋଟ ଉଦ୍ୟୋଗର ସାମଗ୍ରୀକୁ ସିଧାସଳଖ ବଜାରରେ ବିକ୍ରି କରିପାରିବେ। ଅର୍ଥମନ୍ତ୍ରୀ କହିଛନ୍ତି ଯେ SHE-Marts ମାଧ୍ୟମରେ ମହିଳାମାନେ ନିଜ ଉତ୍ପାଦର ଉଚିତ ମୂଲ୍ୟ ପାଇପାରିବେ। ଏହା ମହିଳାଙ୍କୁ କେବଳ ଉତ୍ପାଦକ ନୁହେଁ, ବରଂ ସ୍ୱୟଂ ଉଦ୍ୟମର ମାଲିକ ଭାବେ ଗଢ଼ି ତୋଳିବ।
ଲକ୍ଷପତି ଦିଦି ଯୋଜନାକୁ ନୂଆ ଗତି
ବଜେଟରେ ‘ଲକ୍ଷପତି ଦିଦି’ ଯୋଜନାକୁ ଆହୁରି ସଶକ୍ତ କରିବା ପାଇଁ ଘୋଷଣା ହୋଇଛି। ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ଡ୍ରୋନ୍ ଚାଳନା, ପ୍ଲମ୍ବିଂ, LED ଉତ୍ପାଦନ ପରି ଆଧୁନିକ କୌଶଳରେ ପ୍ରଶିକ୍ଷଣ ଦିଆଯିବ। 2027 ସୁଦ୍ଧା ୩ କୋଟି ମହିଳା SHG ସଦସ୍ୟଙ୍କୁ ଲକ୍ଷପତି ଦିଦି କରିବା ଲକ୍ଷ୍ୟ ରଖାଯାଇଛି।
ପ୍ରତ୍ୟେକ ଜିଲ୍ଲାରେ ଗାର୍ଲ୍ସ ହଷ୍ଟେଲ୍
ମହିଳାଙ୍କ ଶିକ୍ଷା ଓ ଚାକିରିରେ ଅଂଶଗ୍ରହଣ ବଢ଼ାଇବା ପାଇଁ ଦେଶର ପ୍ରତ୍ୟେକ ଜିଲ୍ଲାରେ ଅନ୍ତତଃ ଗୋଟିଏ ଗାର୍ଲ୍ସ ହଷ୍ଟେଲ୍ ନିର୍ମାଣ କରାଯିବ। ଏହା ଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କ ପାଇଁ ବଡ଼ ସହାୟତା ହେବ।
ଗ୍ରାମୀଣ ଅର୍ଥନୀତିକୁ ମିଳିବ ଶକ୍ତି
ବିଶେଷଜ୍ଞମାନଙ୍କ ମତରେ SHE-Marts ଯୋଜନା ଦ୍ୱାରା ଗ୍ରାମୀଣ ଅଞ୍ଚଳରେ ନୂଆ ରୋଜଗାର ସୃଷ୍ଟି ହେବ, ମହିଳାଙ୍କ ଆୟ ବଢ଼ିବ ଏବଂ ଦେଶର ଗ୍ରାମୀଣ ଅର୍ଥନୀତି ଅଧିକ ସୁଦୃଢ଼ ହେବ।