ଉବର ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ : ବିଶ୍ବର ଅଗ୍ରଣୀ କଂପାନି ବିରୋଧରେ ସାମ୍ନାକୁ ଆସିଛି ସାଂଘାତିକ ଅଭିଯୋଗ । ମୋବାଇଲ୍ ଆପ୍ ଜରିଆରେ ଯାତ୍ରୀ ପରିବହନ ସୁବିଧା ପ୍ରଦାନ କରୁଥିବା ଏହି ଉବର ସଂସ୍ଥା ନୂଆ ବଜାରରେ ପ୍ରବେଶ କରିବା ‌ବେଳେ ଅନେକ ବେଆଇନ କାର୍ଯ୍ୟ କରିଥିଲା। ତଦନ୍ତକାରୀ ସାମ୍ବାଦିକଙ୍କ ଆନ୍ତର୍ଜାତିକ କନସୋର୍ଟିୟମ୍ ପକ୍ଷରୁ ଏନେଇ ‘ଉବର ଫାଇଲ୍ସ’ ନାମକ ଦଲିଲ ଜାରି କରାଯାଥିଲା । ସେଥିରେ କୁହାଯାଇଛି ଯେ , ଟାକ୍ସି ଚଳାଚଳକୁ ନେଇ ବିଭିନ୍ନ ଦେଶରେ ରହିଥିବା ନିୟମକୁ ନିଜ ପାଇଁ ସୁହାଇବା ଭଳି ବଦଳାଇବାକୁ କଂପାନି ଚାପ ପକାଉଥିଲା। ଭଡ଼ାରେ ରିହାତି କିଭଳି ଟାକ୍ସି ଶିଳ୍ପର ଅବନତିର କାରଣ ହୋଇଥିଲା ତାହା ଉବର ଫାଇଲ୍ସରେ ବର୍ଣ୍ଣନା କରାଯାଇଛି।

କଂପାନି ଅଧିକାରୀମାନଙ୍କ ମଧ୍ୟରେ ଆଦାନପ୍ରଦାନ ହୋଇଥିବା ଇ-ମେଲ୍ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।କଂପାନି ବିରୋଧରେ ସରକାର ଯେଉଁ ତଦନ୍ତ ନିର୍ଦେଶ ଦେଉଥିଲେ ତାହା ରୋକିବା ଲାଗି ଉବର ଉଦ୍ୟମ କରୁଥିଲା। ୟୁରୋପର ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ଚଢ଼ଉ ‌ବେଳେ କଂପାନି ‘କିଲ୍‌ ସ୍ବିଚ୍‌’ ନାମକ ଏକ ବ୍ୟବସ୍ଥାକୁ ସକ୍ରିୟ କରୁଥିଲା । ଯାହା ଦ୍ବାରା କଂପାନି ସମ୍ପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ତଦନ୍ତକାରୀ ସଂସ୍ଥା ପାଖରେ ପହଞ୍ଚୁନଥିଲା। ଟ୍ରାଭିସ୍ କାଲାନିକ୍ ସିଇଓ ଥିବା ‌ସମୟରେ ୨୦୧୭ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ସକ୍ରିୟ ଥିଲା। ଦାରା ଖସ୍ରୋସାହି ସିଇଓ ହେବା ପରେ ତାହା ବନ୍ଦ ହୋଇଯାଇଥିଲା।

୨୦୧୩ରେ ଉବର ଭାରତରେ ଏହାର ସେବା ଆରମ୍ଭ କରିଥିଲା। କଂପାନି ପାଇଁ ଏବେ ୧୦୦ରୁ ଅଧିକ ସହରରେ ୬ ଲକ୍ଷରୁ ଅଧିକ ଚାଳକ କାମ କରୁଛନ୍ତି। ୨୦୧୪ ଅଗଷ୍ଟରେ ଭାରତୀୟ ଟିମ୍‌କୁ କଂପାନିର ତତ୍କାଳୀନ ଏସିଆ ମୁଖ୍ୟ ଆଲେନ୍ ପେନ୍ ଲେଖିଥିବା ଏକ ଇମେଲ୍‌ରେ ଜଣାଇଥିଲେ ଯେ ପ୍ରଥମ ବର୍ଷରେ ଆମେ ନିଶ୍ଚିତ ରୂପେ ଭାରତରେ ପ୍ରଭାବ ବିସ୍ତାର କରିପାରୁଛି। ଆମକୁ ଭାରତ ପ୍ରତିଟି ସହରରେ ଜାତୀୟ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ପହଞ୍ଚାଇବାକୁ ହେବ।

ଭାରତରେ ଜିଏସ୍‌ଟି, ଆୟକର ବିଭାଗ, ଉପଭୋକ୍ତା ମଞ୍ଚ, ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ସେବା କର ବିଭାଗ ଭଳି ନିୟାକ ସଂସ୍ଥା ସମ୍ପର୍କିତ ବାର୍ତାଳାପକୁ ମଧ୍ୟ ଜାରି କରାଯାଇଛି। ସେବା କର ମାମଲାର କିଭଳି ମୁକାବିଲା କରାଯିବା ଦରକାର ତାହା ନିଜର କର୍ମଚାରୀଙ୍କୁ ଜଣାଇବା ଲାଗି କଂପାନି ୨୦୧୪ରେ ଭାରତର ଉଦାହରଣ ଦେଇଥିଲା। କିଛି ଦିନ ପରେ ଉବର ଡ୍ରାଇଭରଙ୍କ ଦ୍ବାରା ଜଣେ ୨୫ ବର୍ଷୀୟା ବାଳିକା ଦୁଷ୍କର୍ମ ଶିକାର ହୋଇଥିଲେ। ସେହି ମାମଲାରେ କଂପାନି ନିଜ ଆଭ୍ୟନ୍ତରୀଣ ଇ-ମେଲ୍‌ରେ ଭାରତର ଲାଇସେନ୍ସିଂ ବ୍ୟବସ୍ଥାକୁ ଦାୟୀ କରିଥିଲା ଓ ଚାଳକଙ୍କ ଅପରାଧ ରେକର୍ଡକୁ ଖସାଇବା ଲାଗି ଉଦ୍ୟମ କରିଥିଲା।