ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ, ସର୍ଚ୍ଚ ଅପରେଶନ ଜାରୀ

ଜାମ୍ମୁ କାଶ୍ମୀର: Jammu and Kashmir ର କିସ୍ତୱାଡ଼ ଜିଲ୍ଲାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଭୟଙ୍କର ଏନକାଉଣ୍ଟର ଘଟିଛି। ସୁରକ୍ଷା ବାହିନୀ ନିଷିଦ୍ଧ ଆତଙ୍କବାଦୀ ସଂଗଠନ Jaish-e-Mohammed ର କମାଣ୍ଡର ସୈଫୁଲ୍ଲା ସହ ତାଙ୍କ ଅନ୍ୟଜଣେ ସହଯୋଗୀଙ୍କୁ ନିହତ କରିବାରେ ସଫଳ ହୋଇଛନ୍ତି। ସୂଚନା ଅନୁସାରେ, କିସ୍ତୱାଡ଼ ଅଞ୍ଚଳରେ ଜୈଶ-ଏ-ମହମ୍ମଦର ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଲୁଚିଥିବା ବିଷୟରେ ଗୁପ୍ତ ସୂଚନା ମିଳିଥିଲା। ଏହା ପରେ ‘ଅପରେସନ୍ ତ୍ରାଶି-୧’ ଅଧୀନରେ ସେନା, ପୁଲିସ ଓ ସିଆରପିଏଫର ମିଳିତ ବାହିନୀ ଏକ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ଚାତରୁ ବେଲ୍ଟର ପାସେରକୁଟ୍ ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେନାଙ୍କ ଉପରେ ଅଚାନକ ଗୁଳି ଚଳାଇଥିଲେ, ଯାହାରୁ ଭୟଙ୍କର ଏନକାଉଣ୍ଟର ଆରମ୍ଭ ହୋଇଥିଲା।

ଅଧିକାରୀମାନଙ୍କ କହିବା ଅନୁସାରେ, ଏକ ପାହାଡ଼ ଉପରେ ଥିବା ମାଟି ଘର ଭିତରେ ଲୁଚିଥିବା ଆତଙ୍କବାଦୀମାନେ ଆସୁଥିବା ସୈନିକଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ପ୍ରତିଉତ୍ତରରେ ସୁରକ୍ଷା ବାହିନୀ ତୀବ୍ର ଗୁଳିବର୍ଷା କରିଥିଲେ ଏବଂ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଘଟଣାସ୍ଥଳରୁ ଦୁଇଟି ଏକେ-୪୭ ରାଇଫଲ୍, ପ୍ରଚୁର ପରିମାଣର ଗୁଳିଗୋଳା ଓ ଅନ୍ୟାନ୍ୟ ଆତଙ୍କବାଦୀ ସାମଗ୍ରୀ ଜବତ କରାଯାଇଛି। ଏନକାଉଣ୍ଟର ପରେ ସମଗ୍ର ଅଞ୍ଚଳକୁ ସୁରକ୍ଷା ବାହିନୀ ଘେରାବନ୍ଦୀ କରି ରଖିଛନ୍ତି ଏବଂ ଯେପରି କୌଣସି ଅନ୍ୟ ଆତଙ୍କବାଦୀ ଲୁଚି ରହିନଥାଉନ୍ତି ସେଥିପାଇଁ ତଲାସୀ ଅଭିଯାନ ଜାରି ରହିଛି। ଏହି ଅପରେସନ୍‌କୁ ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ସଫଳତା ବୋଲି ଦେଖାଯାଉଛି।