ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଲଗାତାର ଦୁଇଟି ଭୂମିକମ୍ପ ଝଟ୍କା । ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶର ଚମ୍ବା ଅଞ୍ଚଳ । ପ୍ରଥମଟି ଭୋର ୩ଟା ୨୭ରେ ହୋଇଥିଲା । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୩.୩ ରେକର୍ଡ କରାଯାଇଥିବା ବେଳେ ଏହାର ଗଭୀତରା ଭୂପୃଷ୍ଠରୁ ୨୦ କିଲୋମିଟର ତଳେ ଥିଲା । ଏହା ପରେ ଭୋର ୪ଟା ୩୯ରେ ପୁଣି ଥରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଯାହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି । ଏହି ଭୂକମ୍ପର ଗଭୀରତା ଭୂପୃଷ୍ଠରୁ ୨୦ କିଲୋମିଟର ତଳେ ରହିଥିଲା । ଏହା ସହ ପାକିସ୍ତାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୩.୭ ତୀବ୍ରତା ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଉଭୟ ସ୍ଥାନରୁ କୌଣସି କ୍ଷୟକ୍ଷତିର ରିପୋର୍ଟ ସାମ୍ନାକୁ ଆସିନାହିଁ । କହିରଖୁଛୁ ଯେ, ସେମବାର ରାତିରେ ହିମାଚଳ ପ୍ରଦେଶର କାଂଗଡ଼ା ଜିଲ୍ଲାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ରାତି ୯ଟା ୨୮ରେ ଧର୍ମଶାଳା ପାଖରେ ଏହି ଭୂକମ୍ପ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୩.୯ ରେକର୍ଡ କରାଯାଇଥିଲା । ଏହି ଭୂକମ୍ପ କେନ୍ଦ୍ରସ୍ଥଳୀ ଧର୍ମଶାଳାଠାରୁ ୨୩ କିଲୋମିଟର ଦୂରରେ ରହିଥିବା ବେଳେ ଗଭୀରତା ଭୂପୃଷ୍ଠରୁ ୧୦ କିଲୋମିଟର ତଳେ ରହିଥିଲା । ପାଣିପାଗ ବିଭାଗର ଅଧିକାରୀ ଦେଇଥିବା ସୂଚନା ଅନୁସାରେ, ଏହାର ଅକ୍ଷାଂଶ ୩୨.୨୩ ଉତ୍ତର ଏବଂ ଦ୍ରାଘିମା ୭୬.୩୮ ପୂର୍ବ ଥିଲା ।