ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାଲିଆ ତୋଟା ପାଣି ଟାଙ୍କି ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇଜଣ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଯୁବକ ଓ ଜଣେ ଯୁବତୀ ରହିଛନ୍ତି। ସୂଚନା ଅନୁଯାୟୀ, ଆଜି ଏକ ପଲସର ବାଇକ୍ ଯୋଗେ ଉଭୟ ବିଷମକଟକରୁ ରାୟଗଡ଼ା ଅଭିମୁଖେ ଯାଉଥିଲେ। ଏହି ସମୟରେ ଭାଲିଆ ତୋଟା ନିକଟରେ କୌଣସି ଏକ ଅଜ୍ଞାତ ଗାଡ଼ି ସେମାନଙ୍କ ବାଇକ୍କୁ ପ୍ରଚଣ୍ଡ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଉଭୟଙ୍କ ଜୀବନ ଦୀପ ନିଭି ଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ଗାଡ଼ିଟି ସେଠାରୁ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ଦୁର୍ଘଟଣାଗ୍ରସ୍ତ ବାଇକ୍ ନମ୍ବର ଯାଞ୍ଚ ପରେ ଏହା ଟିକିରୀ ଅଞ୍ଚଳର ଆକାଶ ନାୟକଙ୍କର ବୋଲି ଜଣାପଡ଼ିଛି। ତେବେ ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ଓ ସମ୍ପୃକ୍ତ ଯୁବତୀଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଘଟଣାସ୍ଥଳରେ ବିଷମକଟକ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।