ଟୁକୁନି ସାହୁଙ୍କୁ ମିଳିଲା ଜଳ ସମ୍ପଦ ,ବାଣିଜ୍ୟ ଓ ପରିବହନ ବିଭାଗର ଦାୟିତ୍ୱ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ଏଥିରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ରହିଛନ୍ତି। ପୂର୍ବ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା କିଛି ସଦସ୍ୟ ଏଥର ମଧ୍ୟ ମନ୍ତ୍ରୀ ହୋଇଛନ୍ତି ଓ ପୂର୍ବ ଦାୟିତ୍ୱ ମଧ୍ୟ ପାଇଛନ୍ତି।ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି ।  ତେବେ ଚଳିତ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳରେ ନବୀନଙ୍କ ଟିମରେ ମହିଳା ଚେହେରାଙ୍କୁ ଅଧିକ ସୁଯୋଗ ମିଳିଛି । ନବୀନଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ ନବୀନଙ୍କ ନୂଆ ଟିମରେ ଶପଥ ନେଇଛନ୍ତି ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ । ଟୁକୁନିଙ୍କୁ ନବୀନ ପୁଣି ଥରେ ରିପିଟ୍ କରି କ୍ୟାବିନେଟ୍ ମନ୍ତ୍ରୀ ଭାବେ ନିଜ ନୂଆ ଟିମରେ ସାମିଲ କରିଛନ୍ତି ।

ପୂର୍ବରୁ ଶିଶୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ନୂଆ ମନ୍ତ୍ରୀ ଭାବେ ତାଙ୍କୁ ଜଳ ସମ୍ପଦ ,ବାଣିଜ୍ୟ ଓ ପରିବହନ ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଛି । ୨୦୧୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଟୁକୁନି ସାହୁ । ଆଉ ସେବେଠାରୁ ନବୀନଙ୍କ ନଜରରେ ଜଣେ ଉତ୍ତମ ନେତ୍ରୀ ଭାବେ ଇମେଜ୍ ବଜାୟ ରଖି ଏବେ ନୂଆ ଟିମରେ ସାମିଲ ହୋଇଛନ୍ତି । ତେବେ ଲୋକସେବା ଭବନର କନଭେକ୍ସନ ହଲରେ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।

ତେବେ ଆଜି ମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ଟୁକୁନି ସାହୁ । କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣି ଥରେ ବିଶ୍ୱାସ କରିଥିବାରୁ କୃତଜ୍ଞତା ଜଣାଉଛି । ମହିଳାମାନଙ୍କୁ ନେଇ ତାଙ୍କର ଭିଜନକୁ ସଫଳ କରିବାକୁ ଚେଷ୍ଟା କରିବୁ । ବିଜୁ ଜନତା ଦଳ ଗୋଟେ ଶୃଙ୍ଖଳିତ ଦଳ । ପ୍ରତ୍ୟେକ କର୍ମୀ ଲୋକଙ୍କ ସେବାରେ ଲାଗିଛନ୍ତି । ନବୀନ ପଟ୍ଟନାୟକ ଯାହା ଦାୟିତ୍ୱ ମତେ ଦେବେ ମୁଁ ତୁଲାଇବି । କ୍ୟାବିନେଟ୍ ପାହ୍ୟା ମୋ ପାଇଁ ବଡ ଜିନିଷ ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ମୋ ପାଇଁ ବଡ, ତାଙ୍କ ଭରସା ମୋ ପାଇଁ ବଡ ।