ରାଇରଙ୍ଗପୁର, (ସତ୍ୟନାରାୟଣ ପାଲ) ରାଇରଙ୍ଗପୁର ସହର ଅନ୍ତର୍ଗତ ଅଁଳାଡୁବା କୋହ୍ଲସାହିରେ ଆଦିବାସୀ ଝିଅ ମଞ୍ଜୁ । ବାଲ୍ୟକାଳରୁ ଉପେକ୍ଷିତ, ଅବହେଳିତ ଓ ସରକାରୀ ସୁବିଧାରୁ ବଂଚିତ ହୋଇ ଆସିଛନ୍ତି ସେ । ଆଦିବାସୀ ପରିବାରରେ ଜନ୍ମ ହୋଇ ସୁଦ୍ଧା ନିଜର ପ୍ରକୃତ ଜାତି ପରିଚୟ ହରାଇଥିଲେ । ନିଜର ଜାତି କୋହ୍ଲ ଏବଂ ଗୋତ୍ର ହେମ୍ବ୍ରମ ପରିଚୟ ଦେଉଥିବା ପରିବାରଙ୍କ ପୂର୍ବପୁରୁଷଙ୍କ ଜାତି ଅନୁସାରେ ରାଇରଙ୍ଗପୁର ସହରର ଅଁଳାଡୁବା କୋହ୍ଲସାହି ଗଢ଼ି ଉଠିଛି । ମାତ୍ର ଖୋଦ୍ ତାଙ୍କରି ପରିବାରର ପୁଅଝିଅଙ୍କ ଜାତି ପ୍ରମାଣପତ୍ର ପାଇଁ ଦିନେ ସଂଘର୍ଷ କରିବାକୁ ପଡ଼ିବ। ଏକଥା ହୁଏତ ତାଙ୍କରି ପରିବାର ଲୋକେ କେବେ କଳ୍ପନା କରି ନଥିଲେ । ଦିନ ମଜୁରିଆ ଆଦିବାସୀ ପରିବାରର ଝିଅ ମଞ୍ଜୁ ଜାତି ପ୍ରମାଣପତ୍ର ଅଭାବରୁ ସାଧାରଣ ବର୍ଗର ଛାତ୍ରୀ ରୁପେ ପ୍ରଥମରୁ ସ୍ନାତକ ପର୍ୟ୍ୟନ୍ତ ପାଠ ପଢ଼ିଛନ୍ତି । ତାଙ୍କରି ଆଦିବାସୀ ସହପାଠୀମାନେ ଜାତି ପ୍ରମାଣପତ୍ର ଦେଇ ଷ୍ଟାଇପେଣ୍ଟ ଟଙ୍କା ସହିତ ସରକାରୀ ସୁବିଧା ସୁଯୋଗ ପାଉଥିବା ବେଳେ ସେଥିରୁ ସେ ବାଦ ପଡିଥିଲେ କ୍ଷ ନିଜର ମେଧାଶକ୍ତି ଓ କଠିନ ପରିଶ୍ରମ ଯୋଗୁଁ ଗତ ୨୦୨୪ ମସିହାରେ ମୟୂରଭଂଜ ଜିଲ୍ଲା ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ (ଉଦ୍ଭିଦ ବିଜ୍ଞାନ ସମ୍ମାନ) ଉତ୍ତୀର୍ଣ୍ଣ ହେଇଛନ୍ତି । ବିଜ୍ଞାନରେ ସ୍ନାତକ ଶେଷ କରି ଉଚ୍ଚ ଶିକ୍ଷା ପାଇଁ ଜାତି ପ୍ରମାଣପତ୍ର ଅଭାବରୁ ଆବେଦନ କରିବାରୁ ବଞ୍ଚିତ ହୋଇଥିଲେ ।
ନିଜ ପରିବାର ସଦସ୍ୟଙ୍କ ନାଁ ରେ ଜମିପଟ୍ଟା ନାହିଁ । ତେଣୁ ଜାତି ପ୍ରମାଣପତ୍ର ମିଳିବାରେ ସମସ୍ୟା ହେଉଥିଲା । ଦିନ ମଜୁରିଆ ମା ସୁରଥି ମଞ୍ଜୁର ପାଠପଢ଼ା ପାଇଁ ଜାତି ପ୍ରମାଣପତ୍ର ପାଇଁ ଅନେକ କଷ୍ଟ କରି ସୁଦ୍ଧା ସଫଳ ହେଲେ ନାହିଁ । ଜାତି ପ୍ରମାଣପତ୍ର ପାଇଁ ଜାତି ଲେଖାଥିବା ଜମିପଟ୍ଟା ନାହିଁ, ତେଣୁ ଜାତି ପ୍ରମାଣପତ୍ର ମିଳିବାର ସମ୍ଭାବନା ନାହିଁ ବୋଲି ରୋକଠୋକ ଜନସେବା କେନ୍ଦ୍ର ବାଲା କହିଥିଲେ । ପରେ ମଞ୍ଜୁ ନିଜର ଜାତି ପ୍ରମାଣପତ୍ର ପାଇଁ ସଂଘର୍ଷ ଆରମ୍ଭ କରିଥିଲେ । ନିଜର ଅଦମ୍ୟ ପ୍ରଚେଷ୍ଟା ବଳରେ ଯୋଗୁଁ ଗତ ୯ ଜୁଲାଇ ୨୦୨୪ ରେ ରାଇରଙ୍ଗପୁର ତହସିଲ ରୁ ଆଦିବାସୀ ‘ କୋହ୍ଲ ‘ ଜାତି ପ୍ରମାଣପତ୍ରଟିଏ ହାସଲ କରିବାକୁ ସକ୍ଷମ ହେଲେ । ପରେ ସାନଭାଇ ବଡରାମ ଓ ସାନଭଉଣୀ ରାକ୍ଷୀ ପାଇଁ ମଧ୍ୟ ଜାତି ପ୍ରମାଣପତ୍ର ସଂଗ୍ରହ କରିଥିଲେ କ୍ଷ ମଞ୍ଜୁ ନିଜ ପରିବାରର ଭବିଷ୍ୟତ ପାଇଁ ଅନେକ ସ୍ବପ୍ନ ଦେଖୁଛନ୍ତି କ୍ଷ ସରକାରୀ ଚାକିରିଟିଏ ଆଶା କରିଛନ୍ତି । ମଞ୍ଜୁଙ୍କ ପାଇଁ ସରକାରୀ ଅଥବା ବେସରକାରୀ ସହଯୋଗ, ସମବେଦନାଟିଏ ନାହିଁ । ଗତ ୩୦ ମାର୍ଚ୍ଚ ୨୦୨୫ ଦିନ ରାଇରଙ୍ଗପୁର କଚେରୀ ପଡ଼ିଆଠାରେ ଆୟୋଜିତ ଜାତୀୟ ହୋ ଗାଲାଙ୍ଗ କାର୍ୟକ୍ରମରେ ତାଙ୍କରି କୃତିତ୍ୱ ପାଇଁ ତାଙ୍କୁ ରାଇରଙ୍ଗପୁର ବିଧାୟକ ଜଳେନ ନାଏକଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି । ଯାହାକି ତାଙ୍କୁ ଆଗକୁ ସଂଘର୍ଷ ପଥରେ ଆଗେଇ ନେବାରେ ପ୍ରେରଣା ପ୍ରଦାନ କରିଛି । ନିଜ ଜାତି ସମାଜ ଠାରୁ ଏପରି ଏକ ଭବ୍ୟ ଉତ୍ସବରେ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇ ନିଜକୁ ଗର୍ବ ଓ ଗୌରବ ଅନୁଭବ କରିବା ସହିତ ଖୁସିରେ ଅତ୍ୟନ୍ତ ଭାବ ପ୍ରବଣ ହୋଇ ଯାଇଥିଲେ । ଯେମିତି ମଞ୍ଜୁଆତିକୁ ଝିଅ, ମହିଳାମାନେ ନିଜ ହାତର ସୁନ୍ଦରତା ବୃଦ୍ଧି ପାଇଁ ଲଗାଇ ଥାଆନ୍ତି । ଠିକ୍ ସେମିତି ଅଁଳାଡୁବାର ମଞ୍ଜୁ ହାତରେ ଧୈର୍ୟ୍ୟର ମଞ୍ଜୁଆତିକୁ ଧରି ଆଗକୁ ବଢିବା ପାଇଁ କର୍ମ କରି ଚାଲିଛନ୍ତି ।