ରାଉରକେଲା: ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀଙ୍କ ଅନୁଧ୍ୟାନ । ଦୁର୍ଘଟଣାକୁ ଅଭାବନୀୟ କହିଲେ ମନ୍ତ୍ରୀ ବିଭୂତି ଜେନା । ରାଉରକେଲା ପହଞ୍ଚିବାକୁ ଅଳ୍ପ ଦୂର ଥିଲା ଦୁର୍ଘଟଣା ଘଟିଲା । ଦୁର୍ଘଟଣାରେ ଆହତଙ୍କ ସର୍ବୋତ୍ତମ ଚିକିତ୍ସା ପାଇଁ ସରକାର ପ୍ରସ୍ତୁତ । କାହିଁକି ଏଭଳି ଦୁର୍ଘଟଣା ଘଟିଲା ସେଥିପାଇଁ ଆମେ ଚିନ୍ତିତ । ଭଗବାନ ଆମକୁ ରକ୍ଷା କରିଦେଲେ, ସମସ୍ତଙ୍କୁ ତତ୍କାଳ ଉଦ୍ଧାର କରାଯାଇଥିଲା । ସମସ୍ତେ ଏକପ୍ରକାର ସୁରକ୍ଷିତ ଉଦ୍ଧାର ହେବା ଭଗବାନଙ୍କ ଆଶୀର୍ବାଦ । ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ତଦନ୍ତ ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ ।
ତେବେ ଡିଜିସିଆଇର ୫ ଜଣିଆ ଟିମ ଘଟଣା ସ୍ଥଳରେ ପହଞ୍ଚି ରାଉରକେଲା ବିମାନ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏଣେ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି- ମୁଖ୍ୟମନ୍ତ୍ରୀଙ୍କ ସାମଗ୍ରିକ ତତ୍ତ୍ୱାବଧାନରେ, ବାଣିଜ୍ୟ ଏବଂ ପରିବହନ ବିଭାଗ / ବିମାନ ଚଳାଚଳ ନିର୍ଦ୍ଦେଶାଳୟ, ଓଡ଼ିଶା ସରକାରଙ୍କ ଦ୍ୱାରା ରାଉରକେଲା ନିକଟରେ ସମ୍ପ୍ରତି ଘଟିଥିବା ଏକ ବିମାନ ଦୁର୍ଘଟଣା ପରେ ଏକ ତ୍ୱରିତ, ସମନ୍ୱିତ ଏବଂ ପ୍ରଭାବଶାଳୀ ପ୍ରତିକ୍ରିୟା ସୁନିଶ୍ଚିତ କରିବା ପାଇଁ ଭାରତ ସରକାର, ଜିଲ୍ଲା ପ୍ରଶାସନ ଏବଂ ସମ୍ପୃକ୍ତ ବିମାନ କମ୍ପାନୀ ସହିତ ନିରବଚ୍ଛିନ୍ନ ସହଯୋଗ ଏବଂ ସମନ୍ୱୟ ପ୍ରଦାନ କରାଯାଉଛି। ରୋଗୀଙ୍କ ସମୟସୀମା ମଧ୍ୟରେ ମୂଲ୍ୟାଙ୍କନ ଏବଂ ଚିକିତ୍ସା ପାଇଁ ତଦନ୍ତ ଦଳ ଏବଂ ବିଶେଷଜ୍ଞ ଡାକ୍ତରୀ ବୃତ୍ତିଗତଙ୍କ ଉପଲବ୍ଧତାକୁ ତ୍ୱରାନ୍ୱିତ କରିବା ପାଇଁ, ରାଜ୍ୟ ସରକାର ବ୍ୟାପକ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିଛନ୍ତି। ତଦନ୍ତ ଦଳ ଏବଂ ବରିଷ୍ଠ ଡାକ୍ତରମାନଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରିବା ପାଇଁ ଏକ ରାଜ୍ୟ ହେଲିକପ୍ଟର ନିୟୋଜିତ କରାଯାଇଛି।