ଅନେକ ଟ୍ରେନ ୫୦ ପ୍ରତିଶତରୁ ଅଧିକ ସିଟ୍ ଖାଲି ପଡିବା କାରଣରୁ ସରକାର ଏକ ରିହାତି ଭଡା ସ୍କିମ୍ ଘୋଷଣା କରିଛନ୍ତି । ବନ୍ଦେ ଭାରତ ସମେତ ସମସ୍ତ ଟ୍ରେନ୍ ଏସି ଚେୟାର କାର, ଏକ୍ଜିକ୍ୟୁଟିଭ୍ ଶ୍ରେଣୀର ଟିକଟ ମୂଲ୍ୟରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଦର ହ୍ରାସ ହେବ । ଏସି ସିଟ୍ ବ୍ୟବସ୍ଥା ଥିବା ଟ୍ରେନ୍ ଗୁଡିକରେ ରିହାତି ମୂଲ୍ୟରେ ଟିକଟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା କ୍ଷମତା ରେଳ ଜୋନ୍ ଗୁଡିକୁ ପ୍ରଦାନ କରାଯାଇଛି । ଯାତ୍ରୀ ସଂଖ୍ୟା ଆଧାରରେ ସେମାନେ ନିଜ ନିଜ ଜୋନ୍ ଭଡା ନିର୍ଦ୍ଧାରଣ କରିପାରିବେ । ଏହି ଟିକଟ ମୂଲ୍ୟ ସେହି ସବୁ କ୍ଷେତ୍ରରେ କମିବ ଯେଉଁଥିରେ ଗତ ୩୦ ଦିନ ମଧ୍ୟରେ ସିଟ୍ ପୂରଣ ହାର ୫୦ ପ୍ରତିଶତରୁ କମ୍ ରହିଥିବ ।
ଏଥିରେ ରିଜରର୍ଭେସନ ଚାର୍ଜ, ସୁପରଫାଷ୍ଟ ସର୍ଚାର୍ଜ, ଜିଏସ୍ଟି ଆଦି ଅଲଗା ଭାବେ ଲଗାଯିବ । ଯାତ୍ରୀଙ୍କ ସଂଖ୍ୟା ଆଧାରରେ ଯେକୌଣସି ଶ୍ରେଣୀ କିମ୍ବା ସମସ୍ତ ଶ୍ରେଣୀରେ ରିହାତି ଦିଆଯାଇପାରିବ । ରେଳବାଇର ନିର୍ଦ୍ଦେଶ ଅନୁସାରେ ରିହାତି ଭଡାକୁ ତକ୍ରାଳ ଲାଗୁ କରାଯିବ । ହେଲେ ପୂର୍ବରୁ ବୁକ୍ ହୋଇଥିବା ଟିକଟ ଉପରେ ରିହାତି ଅର୍ଥ ଫେରସ୍ତ କରାଯିବ ନାହିଁ । ଛୁଟି ଓ ପର୍ବପର୍ବାଣୀ ସମୟରେ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ଉପରେ ଏହି ବ୍ୟବସ୍ଥା ଲାଗୁ ହେବ ନାହିଁ ।