ନୂଆଦିଲ୍ଲୀ : ଆଜି ହେଉଛି ମାର୍ଚ୍ଚ ୧୬ ତାରିଖ । କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଏକ ବିଶେଷ ଦିନ । ୨୦୧୨ ମସିହା ଆଜିର ଦିନରେ ମିରପୁର ଠାରେ ଅନୁଷ୍ଠିତ ଭାରତ ବାଂଲାଦେଶ ମ୍ୟାଚ୍ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କ କ୍ୟାରିୟରର ୧୦୦ତମ ଶତକ ସ୍କୋର କରିଥିଲେ । ସଚିନ ଏହି ମ୍ୟାଚରେ ୧୧୪ ରନ୍ ସ୍କୋର କରି ଇତିହାସ ରଚିଥିଲେ ମଧ୍ୟ ଭାରତୀୟ ଦଳକୁ ପରାଜିତ ହେବାକୁ ପଡିଥିଲା ।
ଏହି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚରେ ବାଂଲାଦେଶ ଖେଳାଳି ତାମିମ ଇକବାଲ ଓ ଶାକିବ୍ ଅଲ୍ଲି ହାସନଙ୍କ ଚମତ୍କାର ଇନିଂସ ଯୋଗୁଁ ଭାରତୀୟ ଦଳକୁ ଉଇକେଟ୍ ରେ ପରାସ୍ତ ହେବାକୁ ପଡିଥିଲା । ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ତମ ଶତକ ହାସଲ କରିଥିବା ଏକମାତ୍ର ଖେଲାଳି ହେଉଛନ୍ତି ସଚିନ ତେନ୍ଦୁଲକର । ସେ ଟେଷ୍ଟ କ୍ରିକେଟ୍ରେ ୫୧ଟି ଶତକ ଏବଂ ଅନ୍ୟାନ୍ୟ ମ୍ୟାଚ୍ ଗୁଡିକରେ ୪୯ଟି ଶତକ ହାସଲ କରିଥିଲେ । ସଚିନଙ୍କ ପରେ ଏହି ତାଲିକାରେ ଅଷ୍ର୍ଟ୍ରେଲୀୟ ଅଧିନାୟକ ରିକି ପଣ୍ଟିଙ୍ଗଙ୍କ ନାଁ ଆସେ ,ସେ ୭୧ଟି ଶତକ ହାସଲ କରିଥିଲେ । ତେବେ ବିରାଟ କୋହଲି ୭୦ଟି ଶତକ ହାସଲ କରି ଏହି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ।
ସଚିନ ତେନ୍ଦୁଲକର ଉକ୍ତ ମ୍ୟାଚରେ ୧୪୭ ବଲ ଖେଳି ୧୧୪ ରନ୍ ସଂଗ୍ରହ କରିଥିଲେ । ସେ ଏଥିରେ ୧୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଏପରି ପ୍ରଦର୍ଶନ ଯୋଗୁ ତାଙ୍କୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଥିଲା । କୁହାଯାଉଥିଲା ସଚିନ କେବଳ ନିଜର ଶତକ ହାସଲ କରିବା ପାଇଁ ଏତେ ଧୀରେ ଖେଳୁଛନ୍ତି । ଉକ୍ତ ମ୍ୟାଚରେ ସଚିନଙ୍କ ବ୍ୟତିତ ବିରାଟ କୋହଲି ୬୬ ରନ୍ ଏବଂ ସୁରେଶ ରାଇନା ୫୧ରନ୍ କରି ବିସ୍ଫୋରକ ଇନିଂସ କରିଥିଲେ । ନିର୍ଦ୍ଧାରିତ ୫୦ଓଭରରେ ଭାରତ ୫ଉଇକେଟ୍ ହରାଇ ୨୮୯ ରନ୍ କରିଥିଲା । ପ୍ରଶଂସକଙ୍କ ଆଶା ରହିଛି, ପୂର୍ବତନ ଭାରତୀୟ ଅଧୀନାୟକ ବିରାଟ କୋହଲି ସଚିନଙ୍କ ୧୦୦ତମ ଶତକ ରେକର୍ଡକୁ ଭାଙ୍ଗି ପାରିବେ ।