ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ

ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ | ତାଙ୍କର ଦେଶ ପ୍ରତି ରହିଛି ଅନେକ ଅବଦାନ | ସେ ସ୍ବାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ | ତାଙ୍କ ଜନ୍ମଦିନକୁ ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି। ଏହି ଦିବସ ସ୍ବର୍ଗତ ପଟେଲ ଓ ଅନ୍ୟମାନଙ୍କ ଦ୍ବାରା ଦେଶକୁ ଏକଜୁଟ କରିବା ପାଇଁ ହୋଇଥିବା ସଂଗ୍ରାମକୁ ମନେ ପକାଇ ଦେଇଥାଏ। ଏହା ଏକତାକୁ ସୁଦୃଢ଼ କରିବା ସହ ‘ବିବିଧତା ମଧ୍ୟରେ ଏକତା’ର ଭାବନାକୁ ପ୍ରୋତ୍ସାହିତ କରେ ଏବଂ ଜାତୀୟ ଅଖଣ୍ଡତା ବଜାୟ ରଖିବାକୁ ଗୁରୁତ୍ବାରୋପ କରିଥାଏ।

ଇତିହାସରେ ‘ଭାରତର ଏକତାକାରୀ’ ଭାବେ ପରିଚିତ ସର୍ଦ୍ଦାର ପଟେଲ ଦେଶ ସ୍ବାଧୀନ ହେବା ପରେ ୫୬୫ଟି ଦେଶୀୟ ରାଜ୍ୟକୁ ଏକତ୍ର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗୁଜରାଟର ନଦିଆଦ ଠାରେ ୧୮୭୫ ମସିହା ଅକ୍‌ଟୋବର ୩୧ ତାରିଖରେ ଜନ୍ମିତ ସର୍ଦ୍ଦାର ପଟେଲଙ୍କର ଦେଶକୁ ଏକ କରିବା ପାଇଁ ଚଳାଇଥିବା ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ତା ପାଇଁ ସେ ‘ଲୌହ ମାନବ’ ଭାବରେ ମଧ୍ୟ ପରିଚିତ। ୧୯୯୧ରେ ‘ଭାରତରତ୍ନ’ ସମ୍ମାନରେ ଭୂଷିତ ଏହି ଯୁଗଜନ୍ମାଙ୍କର ୧୯୫୦ ଡିସେମ୍ବର ୧୫ ତାରିଖରେ ପରଲୋକ ହୋଇଥିଲା। ତାଙ୍କ ଉଲ୍ଲେଖନୀୟ ଜୀବନ ଓ ସ୍ଥାୟୀ ଅବଦାନକୁ ପାଳନ କରିବା ସହ ତାଙ୍କର ଅତୁଳନୀୟ ଅବଦାନକୁ ସ୍ମରଣ କରିବା ଏବଂ ଆଗାମୀ ପିଢ଼ିକୁ ଏକତା ଓ ଅଖଣ୍ଡତାର ମୂଲ୍ୟବୋଧକୁ ବଜାୟ ରଖିବାକୁ ପ୍ରେରଣା ଦେବା ଲାଗି ଜାତୀୟ ଏକତା ଦିବସ ଏକ ବଳିଷ୍ଠ ସୁଯୋଗ।