ଏବେ ବି ଟଳିନି ଋଷ ଓ ୟୁକ୍ରେନ୍ ଭିତରେ ଯୁଦ୍ଧ ସଙ୍କଟ

ନୂଆଦିଲ୍ଳୀ: ଏବେ ବି ଟଳିନି ଋଷ ଓ ୟୁକ୍ରେନ୍ ଭିତରେ ଯୁଦ୍ଧ ସଙ୍କଟ । ଆଉ ଏହାରି ଭିତରେ ୟୁକ୍ରେନରୁ କେମିତି ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯିବ ସେନେଇ ତକ୍ରାଳ କିଛି ବି ଯୋଜନା ହୋଇନାହିଁ । ଏଥିପାଇଁ କୌଣସି ବିଶେଷ ଉଡାଣ କରାଯାଉନାହିଁ । ତେବେ ଭାରତ-ୟୁକ୍ରେନ୍ ଭିତରେ ଚାର୍ଟାର୍ଡ ଉଡାଣକୁ ଅନୁମତି ଦିଆଯାଇଛି । ଗୁରୁବାର ୟୁକ୍ରେନ୍ ସମ୍ପର୍କରେ ଏଭଳି ପ୍ରତିକ୍ରିୟା ରଖିଛି ଭାରତର ବୈଦେଶିକ ମନ୍ତ୍ରାଳୟ । ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀଙ୍କ ସୂଚନା ଅନୁସାରେ, ଭାରତୀୟ ଦୂତାବାସ ୟୁକେନର ସ୍ଥିତି ଉପରେ ଲଗାତାର ନଜର ରଖିଛି । ଏଥିପାଇଁ ଏକ କଣ୍ଟ୍ରୋଲ ରୁମ ମଧ୍ୟ ସ୍ଥାପନ କରାଯାଇଛି । ତେବେ ଏପର୍ୟ୍ୟନ୍ତ ସେଠାରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାକୁ କୌଣସି ନିର୍ଣ୍ଣୟ ହୋଇନାହିଁ । ଭାରତୀୟ ଦୂତାବାସ ସେଠାରେ ସାମାନ୍ୟ ଭାବେ କାମ କରୁଛି ଏବଂ ୟୁକ୍ରେନରେ ରହୁଥିବା ଭାରତୀୟ ନାଗରିକଙ୍କୁ ସେବା ପ୍ରଦାନ କରୁଛି ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ ଏମଇଏର କହିବା କଥା, ଯେତେବେଳେ ଆମେ କିଛି ଆଡଭାଇଜରି ଜାରି କରୁଛୁ, ସେତେବେଳେ ଆମେ ସେଠାରେ ରହୁଥିବା ନାଗରିକଙ୍କ ସହାୟତା କେମିତି କରିବୁ ସେନେଇ ମଧ୍ୟ ଉଲ୍ଲେଖ କରୁଛୁ । ତେବେ ୟୁକ୍ରେନର ସ୍ଥିତି ସହ ଭାରତୀୟ ନାଗରିକଙ୍କ ଉପରେ ଧ୍ୟାନ ରଖାଯାଇଛି ବୋଲି ସେ କହିଛନ୍ତି ।