ସୁନାର ଲଙ୍କାରେ ବଢି ଚାଲିଛି ଆର୍ଥୀକ ସମସ୍ୟା ; ପିଇବାକୁ ପାଣି ନାହିଁ କି ଖାଇବାକୁ ଖାଦ୍ୟ ମିଳୁନି
ଚିନି କିଲୋ ୩୦୦ ଟଙ୍କା ହୋଇଥିବା ବେଳେ ଚାଉଳ କିଲୋ ପିଛା ଦର ୫୦୦ ଟଙ୍କା ହୋଇ ଯାଇଛି ।
କଲୋମ୍ବ : ଶ୍ରୀଲଙ୍କାରେ ଦିନକୁ ଦିନ ବଢିବାରେ ଲାଗିଛି ଆର୍ଥୀକ ସମସ୍ୟା । ଇନ୍ଧନ ଓ ଅତ୍ୟାବଶ୍ୟକ ଜିନଷରେ ଦେଖା ଦେଇଛି ଘୋର ଅଭାବ । ଏପରିକି ଏହି ଆର୍ଥିକ ସମସ୍ୟା ହେତୁ ଦେଖା ଦେଇଛି ଖାଦ୍ୟ ନିଅଣ୍ଟ । ପିଇବାକୁ ପାଣି ନାହିଁ କି ଖାଇବାକୁ ଡାଲି ଚାଉଳ ମଧ୍ୟ ନାହିଁ । ଇନ୍ଧନ ଗ୍ୟାସର ଅଭାବ ହେତୁ ଦିନ ତମାମ ଲାଇନରେ ଛିଡା ହେବାକୁ ପଡୁଛି । ସରକାରର ଋଣ ଭାରରେ ବୁଡିଚାଲିଛି ପୁରା ଲଙ୍କା । ଡାଲି ଚାଉଳ ପନିପରିବାର ଦର ଆକାଶ ଛୁଆଁ ହେଲାଣି । ଚିନି କିଲୋ ୩୦୦ ଟଙ୍କା ହୋଇଥିବା ବେଳେ ଚାଉଳ କିଲୋ ପିଛା ଦର ୫୦୦ ଟଙ୍କା ହୋଇ ଯାଇଛି । ଆଉ ଇନ୍ଧନ ଗ୍ୟାସ ଦର ମଧ୍ୟ ୪ ହାଜାର ଟଙ୍କା ହୋଇଗଲାଣି । ଏପରିକି ଘଣ୍ଟାକୁ ଘଣ୍ଟା ବିଜୁଳି କାଟ୍ ମଧ୍ୟ କରାଯାଉଛି ।
ଏପରି ପରିସ୍ଥିତି ହେଲାଣି ଯେ ସାଧାରଣ ଜନତା ଧର୍ଯ୍ୟ ହାରା ହୋଇଗଲେଣି । ଲୋକଙ୍କ ଆକ୍ରୋଶର ସୀକାର ହେଉଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି । ଦେଶରେ ବୈଦେଶିକ ମୂଦ୍ରା ଭଣ୍ଡାର ଖାଲି ହେବାକୁ ଲାଗିଲାଣି । ତେଣୁ ଜୀବନ ରକ୍ଷାକାରୀ ଔଷଧ ଠାରୁ ଆରମ୍ଭ କରି ଅନେକ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି । ଯଦି କିଛି ସାମଗ୍ରୀ ମିଳୁଛି ତାହା ଦର ଏତେ ଯେ ସାଧାରଣ ଜନତା କିଣିବାକୁ କୁଣ୍ଠା ବୋଧ କରୁଛନ୍ତି । ଏପରି ପରିସ୍ଥିତି ଯୋଗୁଁ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ବିଗିଡିବାରେ ଲାଗିଛି । ହସ୍ପିଟାଲରେ ସର୍ଜରୀ ମଧ୍ୟ ବନ୍ଦ ହୋଇଯାଇଛି ।
ଗତ ଦୁଇ ବର୍ଷ ମଧ୍ୟରେ ଦେଶରେ ମୁଦ୍ରାଭଣ୍ଡାର ୭୦ ପ୍ରତିସତ ହ୍ରାସ ପାଇଛି । ପର୍ଯ୍ୟଟନରୁ ଦେଶକୁ ବହୁ ପରିମାଣରେ ବିଦେଶୀ ମୁଦ୍ରା ଆସିଥାଏ । ହେଲେ ତାହା କୋଭିଡ ଯୋଗୁଁ ଠପ୍ ହୋଇଯାଇଛି । ଏଣୁ ଋଣ ଶୁଝିବାକୁ ଅର୍ଥ ନିଅଣ୍ଟ ହେଉଥିବାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆମଦାନୀ ହୋଇ ପାରୁନାହିଁ । ସୂବର୍ଣ୍ଣ ଲଙ୍କାର ଏପରି ଅବସ୍ଥା କେବେ ହୋଇ ନଥିଲା । ବର୍ତ୍ତମାନ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ ସୁନାର ଲଙ୍କା ଦେବାଳିଆ ହେବାରେ ଲାଗିଛି । ପୁରା ଦେଶରେ ହାହାକାର ପଡିଯାଇଛି ।
ଭାରତ ବଢାଇଛି ସହଯୋଗର ହାତ:
ଶ୍ରୀଲଙ୍କାର ଏପରି ଅବସ୍ଥା ଦେଖି ନ ପାରି ଭାରତ ବଢାଇଛି ସାହାଯ୍ୟର ହାତ । ଭାରତ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ୧ ବିଲିୟନ୍ ଡଲାରର ଋଣ ସୁବିଧା ଦେଇଛି । ଚୀନ୍ ଓ ବାଂଲା ଦେଶ ପରି ଭାରତ ଶ୍ରୀଲଙ୍କାକୁ ମଧ୍ୟ ସାହାଯ୍ୟର ହାତ ବଢାଇଛି । ଏଥିସହ ଶ୍ରୀଲଙ୍କା ଗସ୍ତରେ ଯାଛନ୍ତି ବୈଦେଶୀକ ମନ୍ତ୍ରୀ ଏସ୍ ଜୟଶଙ୍କର ।