ନୂଆଦିଲ୍ଲୀ: ପୁଣିଥରେ ୨୦୬ ମିଟର ଛୁଇଁଛି ଯମୁନା ଜଳସ୍ତର । ପୁଣିଥରେ ଯମୁନାର ଜଳସ୍ତର ବଢୁଥିବାରୁ ଦିଲ୍ଲିରୁ ଆଗ୍ରା ଯାଏଁ ସବୁଠି ବନ୍ୟା ଭୟ ଲାଗିରହିଛି । ଦିଲ୍ଲି ସରକାର ତଳିଆ ଅଞ୍ଚଳବାସୀଙ୍କୁ ବନ୍ୟା ଆଶ୍ରୟସ୍ଥଳରେ ରହିବାକୁ ଅପିଲ କରିଛନ୍ତି । ଲୋକ ନିର୍ମାଣ ବିଭାଗ ଓ ଦିଲ୍ଲି ମହାନଗର ଟିମ ସାରା ସହରରେ ସଫେଇ କାର୍ଯ୍ୟ ଚଳାଇଛନ୍ତି ।
ଆଜି ବି ଦିଲ୍ଲିରେ ବର୍ଷା ସମ୍ଭାବନା ରହିଥିବା ବେଳେ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ । ଦିଲ୍ଲି ସମେତ ନୋଏଡା, ଗ୍ରେଟର ନୋଏଡାରେ ବି ସମ୍ଭାବ୍ୟ ବନ୍ୟା ନେଇ ସତର୍କତା ଜାରି କରାଯାଇଛି । ତାଜମହର ବଗିଚା ଭିତରେ ବି ପାଣି ପଶିଥିବା ବେଳେ କୌଣସି ସ୍ମାରକୀ କ୍ଷତିଗ୍ରସ୍ତ ହୋଇ ନଥିବା ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ କୁହାଯାଇଛି । ଏହାଛଡ଼ା ତାଜମହଲ ବେସମେଣ୍ଟକୁ ବି ପାଣି ପଶି ନଥିବା କହିଛି ପ୍ରତ୍ନତତ୍ତ୍ବ ବିଭାଗ ।
୧୯୭୮ ମସିହା ପ୍ରବଳ ବନ୍ୟାରେ ବି ପାଣି ମୁଖ୍ୟ ସମାଧିକୁ ଛୁଇଁ ପାରି ନଥିଲା । ବନ୍ୟାପାଣି ଯେପରି ସମାଧିସ୍ଥଳ ନଛୁଇଁପାରିବ ସେହିଭଳି ଡିଜାଇନରେ ଏହାର ନିର୍ମାଣ କରାଯାଇଛି ବୋଲି ପ୍ରତ୍ନତତ୍ତ୍ବ ବିଭାଗର ଜଣେ ଅଫିସର କହିଛନ୍ତି । ସେପଟେ ଉତ୍ତର ଭାରତର ୫ ରାଜ୍ୟରେ ବି ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରିଛି IMD । ଆସନ୍ତା ୨୧ ତାରିଖ ଯାଏଁ ସତର୍କତା ଜାରି କରାଯାଇଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ସମେତ ସେଣ୍ଟ୍ରାଲ ଇଣ୍ଡିଆର ଅଧିାକାଂଶ ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି ।