ଜଟିଳ ହେବାରେ ଲାଗିଛି ଯୁଦ୍ଧସ୍ଥିତି

ରିପୋଟର୍ସ ଟୁଡେ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ପରିସ୍ଥିତିରେ ଅତିକ୍ରମ କରୁଛି । ଏବେ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଇରାନ ଚର୍ଚ୍ଚାର ବିଷୟ ପାଲଟିଛି । ଖାସକରି ୟୁକ୍ରନେ ଉପରେ ଆକ୍ରମଣ ଲାଗି ରଷିଆ ଇରାନ ନିର୍ମିତ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରୁଥିବାର ଅଭିଯୋଗ ହୋଇଛି । ପରେ ପ୍ରଶ୍ନ ଆସିଛି ଦେହେରାନର ଭୂମିକା ଉପରେ । ଗତକାଲି କିଭ ଉପରେ ହୋଇଥିବା ଆକ୍ରମଣ ଉପରେ କାମକାଜି ବା ସହିଦ-୧୩୬ ଡ୍ରୋନ ବ୍ୟବହାର ହୋଇଥିଲା ।ତେଣୁ ୟୁକ୍ରେନ ସରକାର ଅଭିଯୋଗ କରିବା ପରେ ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକର ଟାର୍ଗେଟକୁ ଆସିଛି ଇରାନ । ଏହା ଇରାନ ଉପରେ ଲଗାଯାଇଥିବା ଆର୍ଥିକ କଟକଣାର ଖିଲା ଉଲ୍ଲଂଘନ ବୋଲି କହିଛି ଆମେରିକା ।

ଡେହେରାନ ବିରୁଦ୍ଧରେ ଅଧିକ ଆର୍ଥିକ କଟକଣା ଲଗାଯିବ ବୋଲି ୱାସିଙ୍ଗଟନ ପକ୍ଷରୁ ଚେତାବନୀ ଦିଆଯାଇଛି । ସେହିପରି ଋଷିଆ ଇରାନ ନିର୍ମିତ କାମକାଜ ଡ୍ରୋନ ବ୍ୟବହାର କରିଛି କି ନାହିଁ ତାର ପ୍ରମାଣ ଖୋଜୁଛି ୟୁରୋପୀୟ ସଂଘ । ଶକ୍ତ ପ୍ରମାଣ ମିଳିବା ପରେ ଇରାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ୟୁରୋପୀୟ ସଂଘ ବୈଦେଶିକ ନୀତି ବିଭାଗର ମୁଖ୍ୟ ଜୋସେପ ବୋରେଲ । ଏଠି ପ୍ରଶ୍ନ ଉଠୁଛି, କାହିଁକି ଇରାନୀୟ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛି ରୁଷିଆ । ପ୍ରଥମତଃ ଦୀର୍ଘ ୮ମାସ ହେବ ଦୁଇ ଦେଶ ମଧ୍ୟରେ ଚାଲିଛି ଯୁଦ୍ଧ । ନାଟୋ ୟୁକ୍ରେନକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଦେବା ପରେ ବଦଳି ଯାଇଛି ଯୁଦ୍ଧର ଗତି । ତେବେ କିଛି ଦିନ ହେବ ଋୁଷିଆ ସୈନ୍ୟଙ୍କୁ ବିପୁଳ କ୍ଷୟକ୍ଷତି ସହିବାକୁ ପଡିଛି ।

ଖାରକିଭ ପରେ ଖେରସନ୍ ସହର ବି ରୁଷ ସେନା ହାତରୁ ଚାଲିଯାଇଛି । ସେହିଭଳି ୨୦୧୪ରୁ ରୁଷ ଅଧିକାର କରିଥିବା କ୍ରିମିଆକୁ ସଂଯୋଗ କରୁଥିବା ସି-ବ୍ରିଜ, ୟୁକ୍ରେନ ଉଡାଇ ଦେଇଛି । ଏହାକୁ ନେଇ ରୁଷ ରାଷ୍ଟ୍ରପତି ପୁଟିନ କ୍ଷୁବ୍ଧ ହୋଇଥିଲେ ମଧ୍ୟ ତାଙ୍କ ନିକଟରେ କିଛି ବିକଳ୍ପ ନଥିଲା । କାରଣ ଆମେରିକା, ୟୁରୋପୀୟ ଦେଶଙ୍କ ଏୟାର ଡିଫେନ୍ସ ସିଷ୍ଟମ ୟୁକ୍ରେନକୁ ସୁରକ୍ଷା ଯୋଗାଉଛି । ସେଥିପାଇଁ କ୍ରୁଜ ମିସାଇଲ ସାହାଯ୍ୟରେ ଆକ୍ରମଣ ସମ୍ଭବ ହେଉନାହିଁ । ତାହାସହିତ ପଶ୍ଚିମ ଦେଶଗୁଡିକ କଟକଣା ଯୋଗୁଁ ପ୍ରଭାବିତ ହେଉଛି ରୁଷିଆର ଅସ୍ତ୍ର ଉତ୍ପାଦନ । ଅତି ଜଟିଳ ଓ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ମିଳୁନଥିବାରୁ ରୁଷ ସମସ୍ୟା ସାମ୍ନା କରୁଛି ।

ଅନ୍ୟ ପକ୍ଷରେ ଇରାନ ନିର୍ମିତ କାମକାଜି ଡ୍ରୋନ ହେଉ କି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଫତେ କମଦାମ ସାଙ୍ଗକୁ ଉପଯୋଗୀ ହୋଇଥିବାରୁ ରୁଷ ସେ ସବୁ ଅସ୍ତ୍ରଅସ୍ତ୍ର ବ୍ୟବହାର କରିବାକୁ ବାଧ୍ୟ ହେଉଛି ବୋଲି କୁହାଯାଉଛି । ସେପଟେ ଇରାନ ରୁଷିଆକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଅଭିଯୋଗକୁ ଇରାନ ଖଣ୍ଡନ କରିଛି । ରାଜନୈତିକ ଉଦ୍ଦେଶ୍ୟ ରଖି, ପଶ୍ଚିମ ଦେଶଙ୍କ ପ୍ରରୋଚନାରେ ମିଥ୍ୟା ଖବର ପ୍ରଚାର କହିଛନ୍ତି ଇରାନ ବୈଦେଶିକ ବିଭାଗର ମୁଖପାତ୍ର ନାସିର କାନାନୀ । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଇରାନ ପକ୍ଷଭୁକ୍ତ ନୁହେଁ ବୋଲି ପ୍ରଥମରୁ କହିସାରିଛି । ତେଣୁ କୌଣସି ପକ୍ଷଙ୍କୁ ଅସ୍ତ୍ର ଯୋଗାଣର ପ୍ରଶ୍ନ ଉଠୁନି ବୋଲି ଶେଷରେ ଇରାନ ମୁଖପାତ୍ର ସ୍ପଷ୍ଟ କରିଛନ୍ତି ।