ଧାରା ୧୪, ୨୫, ୨୬, ୨୯ ଏବଂ ୩୦୦ ଏ’କୁ ଉଲ୍ଲଂଘନ କରୁଛି ୱାକଫ୍ (ସଂଶୋଧନ) ଆଇନ

ବ୍ୟୁରୋ-: ସୋମବାର ସୁପ୍ରିମକୋର୍ଟ ୱାକଫ୍ (ସଂଶୋଧନ) ଆଇନ, ୨୦୨୫ ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନଗୁଡ଼ିକର ତୁରନ୍ତ ଶୁଣାଣି ପାଇଁ ତାଲିକାଭୁକ୍ତ କରିବା ଉପରେ ବିଚାର କରିବାକୁ ରାଜି ହୋଇଛନ୍ତି।

ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନା ଏବଂ ବିଚାରପତି ସଞ୍ଜୟ କୁମାର ଏବଂ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠଙ୍କ ସମ୍ମୁଖରେ ଜମିଆତ ଉଲାମା-ଇ-ହିନ୍ଦ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ ସୁପ୍ରିମକୋର୍ଟ ୱାକଫ୍ (ସଂଶୋଧନ) ଆଇନ, ୨୦୨୫ ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନର ତଥ୍ୟ ଉପସ୍ଥାପନ କରିଥିଲେ।

କଂଗ୍ରେସ ସାଂସଦ ମହମ୍ମଦ ଜାଓ୍ବେଦଙ୍କ ସହିତ ଏଆଇଏମଆଇଏମ ମୁଖ୍ୟ ଅସଉଦ୍ଦିନ ଓ୍ବାକଫ୍ ବିଲ୍‌ର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଇ ସର୍ବୋଚ୍ଚ ନ୍ୟାୟାଳୟରେ ପିଟିସନ ଦାୟର କରିଥିଲେ । ଉଭୟ ନେତା ଅଭିଯୋଗ କରିଥିଲେ ଯେ, ଓ୍ବାକଫ ବିଲରେ ପ୍ରସ୍ତାବିତ ସଂଶୋଧନ ମୁସଲିମମାନଙ୍କ ମୌଳିକ ଅଧିକାରଗୁଡ଼ିକୁ ଉଲ୍ଲଂଘନ କରୁଛି ଏବଂ ଇସଲାମୀୟ ଧାର୍ମିକ ସମ୍ପତ୍ତିଗୁଡ଼ିକ ଉପରେ ସରକାର ପକ୍ଷପାତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛନ୍ତି । ବିଲ୍‌କୁ ସମୀକ୍ଷା କରିଥିବା ଯୁଗ୍ମ ସଂସଦୀୟ କମିଟିର ସଦସ୍ୟ ଜାଓ୍ବେଦ କହିଛନ୍ତି ଯେ, ବିଲ୍‌ରେ ହୋଇଥିବା ସଂଶୋଧନ ସମ୍ବିଧାନର ଧାରା ୧୪, ୨୫, ୨୬, ୨୯ ଏବଂ ୩୦୦ଏ’କୁ ଉଲ୍ଲଂଘନ କରୁଛି ।