ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୀଘାର ଜଗନ୍ନାଥ ମନ୍ଦିର ବିବାଦ ସମ୍ପର୍କରେ ଆସନ୍ତାକାଲି ଅପରାହ୍ନ ୫ଟା ସୁଦ୍ଧା ମତାମତ ଦେବା ପାଇଁ ସମସ୍ତ ନିଯୋଗକୁ ଚିଠି ମାଧ୍ୟମରେ ନିବେଦନ କରାଯାଇଛି
ଭୁବନେଶ୍ବର-: ପଶ୍ଚିମବଙ୍ଗର ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଲା ପରେ ଏହି ସ୍ଥାନକୁ ଜଗନ୍ନାଥଧାମ ନାମକରଣ କରିବାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ସରକାର, ସାଧାରଣ ଜନତା, ଭକ୍ତ ମହଲରେ ଚର୍ଚ୍ଚା ହେଉଛି। ତେବେ ଏସବୁ ଚର୍ଚ୍ଚା ମଧ୍ୟରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ପକ୍ଷରୁ ସବୁ ସେବାୟତ ନିଯୋଗର ସଭାପତି ଓ ସଂପାଦକଙ୍କୁ ନୋଟିସ୍ ଜାରି ହୋଇଛି। ଏଥିରେ କୁହାଯାଇଛି ଯେ, ଦୀଘାଠାରେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ନେଇ ଦ୍ବନ୍ଦାତ୍ମକ ତଥ୍ୟ ପାଇଁ ମେ’ ୪ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଲିଖିତ ଭାବେ ଜଣାନ୍ତୁ।
ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଆଇନର ଆଶ୍ରୟ ନେବାକୁ ଛତିଶା ପକ୍ଷରୁ ନିଯୋଗ ପରାମର୍ଶ ଦିଆଯାଇଛି। ଛତିଶା ନିଯୋଗ ପକ୍ଷରୁ କୁହାଯାଇଛି ଯେ ଜଗନ୍ନାଥ ଧାମ ଦୀଘା ଘୋଷଣା ସମ୍ପୂର୍ଣ୍ଣ ନିନ୍ଦନୀୟ। ଜଗନ୍ନାଥ ଧାମ ଦୀଘା ଶବ୍ଦ ପ୍ରତ୍ୟାହାର ପାଇଁ ଅନୁରୋଧ କରାଯିବା ଉଚିତ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରାଯିବା ଆବଶ୍ୟକତା ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ହେଲେ ଆଇନର ପରାମର୍ଶ ନେବାକୁ ଛତିଶା ନିଯୋଗ ଅନୁରୋଧ କରିଛି।
ସେହିପରି ଛତିଶା ନିଯୋଗ ନାୟକ କହିଛନ୍ତି ଯେ ପୂର୍ବରୁ ଦାରୁର ବଳକା ଅଂଶ କୋଇଲି ବୈକୁଣ୍ଠରେ ରହି ଆସୁଥିଲା। କିନ୍ତୁ ଗତ ନବକଳେବରର ବଳକା ଦାରୁ ଗୋଟିଏ ନିଯୋଗ ଦାୟିତ୍ୱରେ ରହିଥିଲା। ଗୋଟିଏ ନିଯୋଗ ଦାୟିତ୍ୱରେ ରହିବା ଦ୍ୱାରା ବିଶୃଙ୍ଖଳା ସୃଷ୍ଟି ହୋଇଛି। ବଳକା ଦାରୁରେ ଅନ୍ୟ ଜଗନ୍ନାଥ ମୂର୍ତ୍ତି ସମ୍ପୂର୍ଣ୍ଣ ଅନୁଚିତ। ଶ୍ରୀମନ୍ଦିର ପ୍ରଶାସନ ତଦନ୍ତ କରି ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦିଅନ୍ତୁ ବୋଲି ଛତିଶା ନିଯୋଗ ନାୟକ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରିଛନ୍ତି।