ଦିଲ୍ଲୀ : କେନ୍ଦ୍ରସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ବିବାଦ ଦେଖାଦେଇଛି । ସାରାଦେଶରେ ଆରମ୍ଭ ହୋଇଛି ବିକ୍ଷୋଭ । କେତେବେଳେ ଟ୍ରେନ ପୋଡି ତ ଆଉ କେତେବେଳେ ରାଜରାସ୍ତାରେ ବସି କେନ୍ଦ୍ରସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି ବିରୋଧି । ହେଲେ ସବୁ ବାଦବିବାଦ ପରେ ଅଗ୍ନିପଥ ଯୋଜନା ପାଇଁ ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା । ସେପଟେ ବିରୋଧକୁ ଦୃଷ୍ଟିରେ ରଖି ୩ ସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ଯୋଜନାର ରୂପରେଖ ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି । ୨୦୨୨ ଡିସେମ୍ବର ସୁଦ୍ଧା ପ୍ରଥମ ପର୍ୟ୍ୟାୟ ଅଗ୍ନିବୀରମାନଙ୍କୁ ସ୍ଥଳସେନାରେ ସାମିଲ କରାଯିବ ବୋଲି ସ୍ଥଳସେନା ଅଧ୍ୟକ୍ଷ ମନୋଜ ପାଣ୍ଡେ ପ୍ରଥମରୁ କହିଥିଲେ ।
ପ୍ରଥମ ପର୍ୟ୍ୟାୟ ଅଗ୍ନିବୀରଙ୍କୁ ୨୦୨୩ ଜୁନ ସୁଦ୍ଧା ନିଯୁକ୍ତି ପାଇଁ ଉପଲବ୍ଧ ହେବେ । ଏହି କ୍ରମରେ ଚଳିତ ମାସ ୨୪ ତାରିଖରୁ ସ୍ଥଳସେନା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସେ କହିଛନ୍ତି ।ବାୟୁସେନାରେ ୨୦୨୨ ଡିସେମ୍ବର ୩୦ ତାରିଖ ସୁଦ୍ଧା ଚୟନ ହୋଇଥିବା ଅଗ୍ନିବୀର ମାନଙ୍କର ଟ୍ରେନିଂ ଆରମ୍ଭ କରାଯିବ ବୋଲି ଲେଫ୍ଟନାଣ୍ଟ ଜେନରାଲ ଅନିଲ ପୁରୀ କହିଛନ୍ତି ।ଅନ୍ୟପଟେ ନୌସେନା ପାଇଁ ନିଯୁକ୍ତ ହେବାକୁ ଥିବା ଅଗ୍ନିବୀରଙ୍କ ପାଇଁ ଜୁନ ୨୫ ତାରିଖରେ ବିଜ୍ଞାପନ ପ୍ରକାଶ କରାଯିବ । ନଭେମ୍ବର ୨୧ ତାରିଖରେ ପ୍ରଥମ ବ୍ୟାଚ୍ ଅଗ୍ନିବୀର ନୌସେନାରେ ଯୋଗ ଦେବେ ।ସେହିଭଳି ଭାରତୀୟ ସେନାରେ ଯୋଗ ଦେବାକୁ ଚାହୁଁଥିବା ଅଗ୍ନିବୀରଙ୍କ ପାଇଁ ଜୁଲାଇ ପହିଲାରେ ବିଜ୍ଞାପନ ପ୍ରକାଶ କରାଯିବ । ଏହାପରେ ଅଗଷ୍ଟ ପହିଲାରୁ ରାଲି ଆରମ୍ଭ ହେବ । ଏହା ଅଗଷ୍ଟରୁ ନଭେମ୍ବର ପର୍ୟ୍ୟନ୍ତ ଚାଲିବ । ଏହାସହ ସେମାନଙ୍କୁ ଡିସେମ୍ବର ମାସରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି । ତେବେ ଦେଖିବାକୁ ବାକି ରହିଲା ଆଗକୁ ବିକ୍ଷୋଭ ଜାରି ରହିବ ନାଁ କେନ୍ଦ୍ରସରକାରଙ୍କ ଅଗ୍ନିପଥ ଯୋଜନାକୁ ସମର୍ଥନ ମିଳିବ ।