ଆଜି ରାତି ୮ଟାରେ ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅପରେସନ ସିନ୍ଦୂର ପରେ ଏହା ହେଉଛି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ସମ୍ୱୋଧନ । ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କଣ କହିବେ, ତାକୁ ନେଇ ଏବେ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି । କାରଣ ଅପରେସନ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀ କିଛି ସୂଚନା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି । ଅପରେସନ ସିନ୍ଦୂର ବେଳେ ପ୍ରଧାନମନ୍ତ୍ରୀ ପୂରା ଘଟଣା ଉପରେ ନଜର ରଖିବା ସହ ଘନ ଘନ ବୈଠକ ମଧ୍ୟ କରୁଥିଲେ । ଆଉ ଏବେ ଭାରତ ପାକିସ୍ତାନ ଭିତରେ ଅସ୍ତ୍ରବିରତି ପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ୱୋଧନ କରିବେ । ଯାହାକୁ ନେଇ କେବଳ ଦେଶ ନୁହେଁ, ବରଂ ସାରା ବିଶ୍ୱର ନଜର ରହିବ ।
ଏହାପୂର୍ବରୁ ଆଜି ୩ ସେନା ପ୍ରେସମିଟ୍ କରି ନିଜ ପରାକ୍ରମ ବିଷୟରେ କହିଥିଲେ । କିଭଳି ପାକିସ୍ତାନକୁ ଭାରତ ଜବାବ ଦେଇଥିଲା ତାହା ଦେଶବାସୀଙ୍କୁ ଜଣାଇଥିଲେ । ସେନା କହିଥିଲା କି, ପାକିସ୍ତାନର ଆକ୍ରମଣକୁ ପଣ୍ଡ କରିଥିଲା ଭାରତ । ମେ ୯ ଓ ୧୦ରେ ହୋଇଥିବା ଆକ୍ରମଣକୁ ପଣ୍ଡ କରିଥିଲା ସେନା । ଆତଙ୍କବାଦୀଙ୍କ ଉପରେ ଆମେ ସଠିକ ଆକ୍ରମଣ କରିଛୁ । ଆମେ ସୀମା ନଡେଇଁ ସାମରିକ କାର୍ଯ୍ୟାନୁଷ୍ଠାନ ନେଲୁ । ପାକ୍ ଏୟାରବେସ ଉପରେ ଆକ୍ରମଣ ଭିଡିଓ ଜାରି କଲୁ । ଭାରତର ସମସ୍ତ ଏୟାରବେସ ସୁରକ୍ଷିତ ଅଛି ।