ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୨୫ରୁ ୨୭ ତାରିଖ ପର୍ୟ୍ୟନ୍ତ ଓଡ଼ିଶା ଗସ୍ତରେ ରହିବେ। ଏନେଇ ତାଙ୍କ କାର୍ୟ୍ୟାଳୟ ପକ୍ଷରୁ ତିନିଦିନିଆ ଓଡ଼ିଶା ଗସ୍ତର ସବିଶେଷ ସୂଚୀ ପ୍ରକାଶ ପାଇଛି। ୨୫ ଜୁଲାଇ ୨୦୨୩ ସନ୍ଧ୍ୟାରେ ରାଷ୍ଟ୍ରପତି ଅତୁଟ-ବନ୍ଧନ ପରିବାର ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ କାର୍ୟ୍ୟକ୍ରମରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବେ ଏବଂ ଭୁବନେଶ୍ୱରସ୍ଥିତ ରାଜଭବନ ପରିସରରେ ନୂଆ ଅଟ୍ଟାଳିକା ପାଇଁ ଶିଳାନ୍ୟାସ କରିବେ।
୨୬ ଜୁଲାଇ ୨୦୨୩ରେ ରାଷ୍ଟ୍ରପତି କଟକଠାରେ ଓଡ଼ିଶା ହାଇକୋର୍ଟର ୭୫ତମ ବର୍ଷ ପୂର୍ତ୍ତି ସମାରୋହର ଉଦଯାପନୀ କାର୍ୟ୍ୟକ୍ରମରେ ଯୋଗ ଦେବେ । ସେହି ଦିନ ସେ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ, କଟକର ବାର୍ଷିକ ଉତ୍ସବ କାର୍ୟ୍ୟକ୍ରମକୁ ସମ୍ବୋଧିତ କରିବେ ଏବଂ କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେବେ । ଜୁଲାଇ ୨୭ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ରାଜଭବନ ପରିସରରେ ଅତି ପଛୁଆ ଜନଜାତି ସମୁଦାୟର ସଦସ୍ୟମାନଙ୍କ ସହିତ ମତବିନିମୟ କରିବେ । ସେହିଦିନ, ସେ ଚଳିତ ବର୍ଷର ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବିଷୟବସ୍ତୁ, ‘ସକାରାତ୍ମକ ପରିବର୍ତ୍ତନର ବର୍ଷ’ କାର୍ୟ୍ୟକ୍ରମକୁ ଶୁଭାରମ୍ଭ କରିବେ । ଏହି କାର୍ୟ୍ୟକ୍ରମ ଅଧୀନରେ ଦେଶବ୍ୟାପୀ ଆଲୋଚନାଚକ୍ର ଓ ସମ୍ମିଳନୀ ଆୟୋଜନ କରାଯିବ । ଏଥିସହିତ ଭୁବନେଶ୍ୱର ତମାଣ୍ଡୋ ଦଶବାଟିଆଠାରେ ଏହାର ‘‘ଲାଇଟ୍ହାଉସ୍ କମ୍ପ୍ଲେକ୍ସ’ର ଶିଳାନ୍ୟାସ କରିବେ ।