(ଭୁବନ/କଳ୍ପତରୁ ଜେନା): ଅଜଣା ରୋଗ ଶଯ୍ୟାରେ ଘରର ଏକମାତ୍ର ରୋଜଗାରୀଆ ପୁଅ ରମେଶ। ସାତ ଜନ୍ମ ପାଇଁ ବାହା ବେଦୀରେ ସାକ୍ଷୀ ରଖି ବିବାହ କରିଥିବା ସ୍ତ୍ରୀ ବି ସାତ ମାସର ଝିଅକୁ ଧରି ଛାଡି ଚାଲିଯାଇଛି ବାପଘର । ଭାଗ୍ୟକୁ ଆଦରି ଘରେ ବୃଦ୍ଧା ବିଧବା ମାଆ ସହିତ ପଡିରହିଥିଲେ, ହେଲେ ଶେଷରେ ମାବି ହାତ ଛାଡି ପୁଅକୁ ଏକା କରି ଅଜା ଘରକୁ ପଳେଇଛି । ପ୍ରଶାସନର ସାହାଯ୍ୟକୁ ଅନେଇ ଜୀବନ ମରଣ ସହିତ ଦିନ କାଟୁଛନ୍ତି ସଯ୍ୟା ଶାୟୀ ରମେଶ । ବିଛଣାରୁ ଉଠି ବସିବାକୁ ସାହା ହୋଇଛି ଦୁଇ ଖଣ୍ଡ ଦଉଡି । ଆଜକୁ ଆଠ ମାସ ହେଲା ଗାଁ ଦାଣ୍ଡ ଦେଖିବା ତାଙ୍କ ପାଇଁ ସତେ ଯେମିତି ସାତ ସପନ ପାଲଟିଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ ଅନ୍ତର୍ଗତ ଅସୁରବନ୍ଧ ଗ୍ରାମରେ ।
ଗ୍ରାମର କେଦାର ମଳିକ, ସ୍ତ୍ରୀ କାଞ୍ଚନ ,ପୁଅ ରମେଶ ଓ ଦୁଇ ଝିଅଙ୍କୁ ନେଇ ହସଖୁସିରେ ଚାଲିଥିଲା ତେଲ ଲୁଣର ସଂସାର । ଆଜକୁ ଆଠ ବର୍ଷ ପୂର୍ବେ ଏକ ଅଜଣା ରୋଗରେ ପଡି ଆରପାରିକୁ ଚାଲିଗଲେ ଘରର ମୁଖିଆ କେଦାର । ତାପରେ ଘରର ସବୁ ଦାୟୀତ୍ବ ମୁଣ୍ଡକୁ ନେଲା ପୁଅ ରମେଶ । ଗାଡି ଚଲାଇ ଦୁଇ ଭଉଣୀଙ୍କୁ ବିବାହ କରି ନିଜେ ବି ହାତକୁ ଦୁଇ ହାତ ହୋଇଗଲେ । ହସଖୁସିରେ ସଂସାର ଚାଲୁଥିଲା । କିନ୍ତୁ ହଠାତ ଦିନେ ଗାଡି ଚଳାଉଥିବା ସମୟରେ ଅଣ୍ଟାରେ ଯନ୍ତ୍ରଣା ଅନୁଭବ କରିଥିଲେ ରମେଶ । ଗାଡି ମାଲିକଙ୍କଠାରୁ ଛୁଟି ନେଇ ପ୍ରଥମେ ଭୁବନ ଡାକ୍ତରଖାନାରେ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଯାଇଥିଲେ । କିନ୍ତୁ କିଛି ଫଳପ୍ରଦ ହେଲା ନାହିଁ । ଦିନକୁ ଦିନ ଅବସ୍ଥା ଅଥୟ ହୋଇ ପଡ଼ିଲା, ଧିରେ ଧିରେ ଅଣ୍ଟାଠାରୁ ଗୋଡ ପର୍ଯ୍ୟନ୍ତ ସମ୍ପୂର୍ଣ ଅଚଳ ହୋଇ ପଡ଼ିଲା । କଟକ ବଡ ମେଡିକାଲରୁ ଫେରି ଏବେ ଆଠ ମାସ ହେଲା ବିଛଣାରେ ପଡି ରହିଛନ୍ତି ରମେଶ । ଯାହା ପାଖରେ ଥିଲା ତାକୁ ବିକିଭାଙ୍ଗି ନିଜ ଚିକିତ୍ସାରେ ସାରିଦେଲେ । ଏପରି ଅବ୍ୟବସ୍ଥା ଭିତରେ ସ୍ତ୍ରୀ ବି ଶେଷରେ ସାତ ମାସର ଝିଅକୁ ଧରି ବାପଘରକୁ ଚାଲିଗଲା ।
ଅନ୍ୟପକ୍ଷେ ସରକାରୀ ସହାୟତା କହିଲେ ମାସକୁ ମାଆପୁଅଙ୍କ ପାଇଁ ଦଶ କିଲୋ ଚାଉଳ ଏବଂ ମାଆର ବିଧବା ଭତ୍ତା ସାତ ଶହ ଟଙ୍କା । ଏତିକି ବି ଦୁଇ ପ୍ରାଣୀଙ୍କୁ ନିଅଣ୍ଟ । ସାଙ୍ଗ ସାଥୀ ଭାଇବନ୍ଧୁଙ୍କ ସାହାଯ୍ୟ ପାଇ କଟକ ବଡ ମେଡିକାଲକୁ ଅନେକଥର ଯାଇ ଔଷଧ ଖାଇଛନ୍ତି ରମେଶ । କିନ୍ତୁ ଆଉ କେତେ ଦିନ ସେ ଭାଇବନ୍ଧୁ ସାଙ୍ଗ ସାଥୀଙ୍କ ସାହାଯ୍ୟ ନେଇ ଭଲ ହେବେ । ରାଜ୍ୟ ସରକାର ଦେଇଥିବା ବିଜୁ ସ୍ବାସ୍ଥ୍ୟ କାର୍ଡ ଅଛି କିନ୍ତୁ କାମରେ ଆସୁନି । ଏବେ ପ୍ରଶାସନର ସାହାଯ୍ୟକୁ ଅନେଇ ବସିଛନ୍ତି ରମେଶ । ଖୁବ ଶିଘ୍ର ସିଡିଏମଓ ଏବଂ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ରମେଶର କିପରି ଚିକିତ୍ସା କରିପାରିବେ ବୋଲି କହିଛନ୍ତି ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ।