ବିଦ୍ୟୁତ ଆଘାତରେ ପ୍ରାଣ ହରାଇଲା ଘରର ଏକ ମାତ୍ର ଝିଅ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ନୂଆପଡାରେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ହଣେ ଯୁବତୀଙ୍କର ମୃତ୍ୟୁ ଘଟିଛି । ଜିଲ୍ଲା ସହସ୍କୃତି କାର୍ଯ୍ୟାଳୟରେ ପାଠାଗାର ସହାୟିକା ଥିଲେ ମୃତକ ପ୍ରମିଳା ସୋରେଙ୍ଗ । ଦଇବର ଏମିତି ଖେଳ ଯେ ବୁଲୁ ବୁଲୁ ଚାଲିଗଲା ଜୀବନ । ଘରର ଛାତ ଉପରେ ନୀରବରେ କିଛି ସମୟ ବିତାଇବା ପାଇଁ ଯାଇଥିବା ପ୍ରମିଳା କିନ୍ତୁ ଆଉ ଫେରି ନଥିଲେ । ଛାତ ଉପରେ ଫୋନରେ କଥା ହେଉଥିବା ବେଳେ ହଠାତ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ସଂପୂର୍ଣ୍ଣ ଜଳି ଯାଇଥିଲେ ପ୍ରମିଳା । ଏହା ଦେଖି ତାଙ୍କ ରୁମମେଟ ଶିବାନୀ ଏବଂ ପାଖ ପଡୋଶୀ ଧାଇଁ ଆସି ତାଙ୍କୁ ଉଦ୍ଧାର କରିବା ସହ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେତେବେଳକୁ ଶରୀରର ୯୦ ପ୍ରତିଶତ ଭାଗ ନିଆଁର କବଳକୁ ଆସି ସାରିଥିଲେ । ୧୦୨ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନେବା ବାଟରେ ହିଁ ପ୍ରାଣ ହରାଇଛନ୍ତି ପ୍ରମିଳା । ଏହାପରେ ଖବର ପାଇ ଡାକ୍ତରଖାନାରେ ପହଞ୍ଚିଥିଲେ ସଂସ୍କୃତି ବିଭାଗର କର୍ମଚାରୀ ଓ ସଦସ୍ୟ । ଟାଉନଥାନାରେ ଏ ଘଟଣା ନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପୋଲିସ । ତେବେ ସବୁଠୁ ଦୁଃଖର ବିଷୟ ହେଉଛି ପ୍ରମିଳା ଥଲେ ତାଙ୍କ ଘରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟା । ତାଙ୍କ ମୃତ୍ୟୁରେ ବାପା-ମା ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।